ନୂଆଦିଲ୍ଲୀ : ଗତକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି ସକାଳ ସାଢେ ୮ଟା ବେଳେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା  ଆରମ୍ଭ ହୋଇଛି | ତାଜା ସୂଚନା ମୁତାବକ ତାମିଲନାଡୁ ଓ ପଣ୍ଡିଚେରୀର ଦୁଇଟି ସ୍ଥାନରେ ଆଜି ପ୍ରବଳ ବର୍ଷା ହୋଇଥିବାବେଳେ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ବର୍ଷା  ହୋଇଛି | ତାମିଲନାଡୁର ନାଗପଟିନମ ରେ ୧୫୨ମିମି ଓ ପଣ୍ଡିଚେରୀର କରାଇକଲାରେ ୧୬୩ମିମି ବର୍ଷା  ରେକର୍ଡ ହୋଇଛି |

Advertisment

ସେହିପରି ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁଁ ତାମିଲନାଡୁରେ ଗତ କିଛି ଦିନ ଧରି ଚାଲିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ରହିଛି ।

ପ୍ରବଳ ବର୍ଷାକୁ ନଜରରେ ରଖି ତାମିଲନାଡୁ ରାଜ୍ୟ ସରକାର ଚେନ୍ନାଇ, କାଞ୍ଚିପୁରମ, ଥିରୁବଲୁର, ଚେଙ୍ଗଳପାଟତୁ, କୂଡାଲୋର, ନାଗପଟିନମ, ତାଞ୍ଜାଭୁର, ଥିରୁଭାରୁର ଓ ମାୟାଲୀଦୁଥୁରାଇ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି |