ବ୍ରିସବେନ: ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ କୁ ଦୃଷ୍ଟିରେ ରଖି ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହି ମ୍ୟାଚ ଆଗରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି । ତାହା ହେଉଛି ବର୍ଷା ।
ପ୍ରଥମ ଦିନରେ ମାତ୍ର ୧୩.୨ ଓଭର ଖେଳାଯିବା ପରେ ଲଗାଣ ବର୍ଷା ଯୋଗୁଁ ଦିନ ବାତିଲ ହୋଇଥିଲା। ଏହି ସମୟ ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ଓ୍ବିକେଟ ନ ହରାଇ ମାତ୍ର ୨୮ ରନ କରିପାରିଛି । କିନ୍ତୁ ଗାବା ଟେଷ୍ଟର ଦ୍ୱିତୀୟ ଦିନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ଏଜେନ୍ସିମାନଙ୍କ ଅନୁସାରେ ଡିସେମ୍ବର ୧୫ରେ ସକାଳ ସମୟରେ ବର୍ଷା ହେବାର ୪୬% ସମ୍ଭାବନା ରହିଛି । ଅପରାହ୍ନରେ ବର୍ଷା ସମ୍ଭାବନା ୨୫ ପ୍ରତିଶତକୁ ହ୍ରାସ ପାଇବାକୁଥିଲେ ମଧ୍ୟ ଆକାଶ ମେଘୁଆ ରହିବ। ସନ୍ଧ୍ୟାରେ ମଧ୍ୟ ବର୍ଷା ହେବାର ୧୨ ପ୍ରତିଶତ ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ବର୍ଷା ମଧ୍ୟ ଦ୍ବିତୀୟ ଦିନର ଖେଳରେ ବାଧକ ସାଜିପାରେ। କେବେଳ ଏତିକି ନୁହେଁ, ଗାବା ଟେଷ୍ଟର ସମସ୍ତ ପାଞ୍ଚ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଖେଳର ତୃତୀୟ ଦିନରେ ବର୍ଷାର ୪୬ ପ୍ରତିଶତ ସମ୍ଭାବନା ଥିବା ବେଳେ ଚତୁର୍ଥ ଓ ପଞ୍ଚମ ଦିନରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ମ୍ଯାଚକୁ ନେଇ ସଂଦେହ ଦେଖାଦେଇଛି ।