ବର୍ଷା ଆରମ୍ଭରୁ କର୍ଣ୍ଣାଟକ ବେହାଲ

ବନ୍ୟା ପରିସ୍ଥିତି ପରେ ରେଡ୍‌ ଆଲର୍ଟ

ବେଙ୍ଗାଲୁରୁ: ସାମୁଦ୍ରିକ ଝଡ଼ ମେକୁନୁ ପ୍ରଭାବରେ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ବର୍ଷା ବିତ୍ପାତ ଲାଗି ରହିଛି। ଲଗାଣ ବର୍ଷାରେ ପରିସ୍ଥିତି ବେହାଲ ହୋଇପଡ଼ିଥିବା ବେଳେ ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ତଟବର୍ତ୍ତୀ କର୍ଣ୍ଣାଟକରେ ବନ୍ୟା ବିପର୍ଯ୍ୟୟ ଯୋଗୁଁ ସମସ୍ୟା ଗମ୍ଭୀର ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ରାଜ୍ୟରେ ରେଡ ଆଲର୍ଟ ଜାରି କରାଯାଇଛି। ବନ୍ୟା ଯୋଗୁଁ ରାଜ୍ୟ ବ୍ୟାପୀ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଙ୍ଗାଲୁରୁ, ଦକ୍ଷିଣ କନ୍ନଡ ଓ ବିଦୁପିର ସହର ତଳି ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି। ପ୍ରାୟ ୫ ହଜାର ଲୋକଙ୍କୁ ଆଜି ସୁରକ୍ଷା ଶିବିରରେ ଥଇଥାନ କରାଯାଇଛି । ଝଡ଼ ତୋଫାନ ଯୋଗୁଁ ବିଦ୍ୟୁତ ଖୁଣ୍ଟଗୁଡ଼ିକ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ ସରବରାହ ଠପ୍‌ ହୋଇଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ କରାଯାଇଛି। ବିଗତ ୨ ଦଶନ୍ଧୀ ମଧ୍ୟରେ ଏଭଳି ବନ୍ୟା ପରିସ୍ଥିତି ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି । ବନ୍ୟାଜନିତ କ୍ଷୟକ୍ଷତିକୁ କମାଇବା ଏବଂ ଉଦ୍ଧାର ଓ ସହାୟତା କାର୍ଯକୁ ତ୍ୱରାନ୍ଵିତ କରିବା ପାଇଁ ରାଜ୍ୟ ସରକାର ଅନେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ତତ୍କାଳ ସହୟତା ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଜଣାଇଛନ୍ତି। ଏହା ସହିତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଯଥା ସମ୍ଭବ ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବନ୍ୟାରେ ଉଡୁପି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ୨ ଶହରୁ ଅଧିକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ପ୍ରାୟ ୨୦ ହଜାର ଲୋକ ପାଣି ଘେରରେ ରହିଛନ୍ତି। ଏଯାବତ୍‌ ବନ୍ୟା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳୁ ମାଙ୍ଗାଲୁରୁର ଏକ ସ୍କୁଲ ମଧ୍ୟରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ବୋଟ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ମେକୁନୁ ସାମୁଦ୍ରିକ ଝଡ଼ ସାଙ୍ଗକୁ ମଙ୍ଗଳବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର