ନିଜ ଶରୀରରେ ଇନ୍ଦ୍ରଧନୁର ସପ୍ତରଙ୍ଗ ସୃଷ୍ଟି କରୁଛି ମାଛ

ମାଳଦୀପ ଗଭୀର ସମୁଦ୍ରରୁ ଆବିଷ୍କାର କଲେ ବୈଜ୍ଞାନିକ

ମାଳଦୀପ: କେତେବେଳେ ମୁହଁ ନାଲି ତ ଲାଞ୍ଜ ଧଳା, କେତେବେଳେ ମୁହଁ ନୀଳ ତ ଲାଞ୍ଜ ଲାଲ ଏମିତି ଅନେକ ରଙ୍ଗ ସୃଷ୍ଟି କରୁଥିବା ମାଛକୁ ମାଳଦୀପର ଗଭୀର ସମୁଦ୍ରରୁ ଆବିଷ୍କାର କରାଯାଇଛି। ଶରୀରରେ ବିଭିନ୍ନ ରଙ୍ଗ ସୃଷ୍ଟି କରୁଥିବା ମାଛକୁ ଖୋଜି ପାଇବା ପରେ ବୈଜ୍ଞାନିକମାନେ ଏହାର ନାମ ରଖିଛନ୍ତି ଇନ୍ଦ୍ରଧନୁ ମାଛ। ସମଗ୍ର ବିଶ୍ବରେ ଏହା ରେନବୋ ଫିସ୍‌ ନାମରେ ଏହି ମାଛ ସ୍ବତନ୍ତ୍ରତା ହାସଲ କରିବାରେ ଲାଗିଥିବା ବୈଜ୍ଞାନିକମାନେ କହିଛନ୍ତି।

ବୈଜ୍ଞାନିକମାନେ ଏହି ମାଛର ଅଫିସିଆଲ୍ ନାମ ରୋଜ୍ ଓ୍ଵିଲ୍ଡ ଫୈରି ରସ୍ ରଖିଛନ୍ତି। ଏହି ନାମ ମାଛର ସୁନ୍ଦର ଗୋଲାପୀ ରଙ୍ଗକୁ ଦର୍ଶାଉଛି। ଅନ୍ୟପକ୍ଷରେ ଏହାର ସାଇଣ୍ଟିଫିକ୍ ନାମ ସିରହିଲେବ୍ରସ୍ ଫିନିଫେନ୍ମା ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ମାଳଦୀପର ଆଞ୍ଚଳିକ ଧିବେହି ଭାଷା ଅନୁଯାୟୀ ଫିନିଫେନ୍ମା ଅର୍ଥ ହେଉଛି ଗୋଲାପ। ଏହି ନାମ ମାଳଦୀପର ରାଜକୀୟ ଫୁଲ ପିଙ୍କ୍ ଗୋଲାପକୁ ସମ୍ମାନିତ କରିବା ପାଇଁ ରଖାଯାଇଛି। ସେ ଯାହା ହେଉନା କାହିଁକି ଏହି ମାଛ ଉପରେ ଗବେଷଣା ଜାର ରହିଛି। ବୈଜ୍ଞାନିକମାନେ ନିକଟରେ ରେନବୋ ଫିଶ୍ ଉପରେ କରିଥିବା ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ୧୯୯୦ରେ ଏହି ମାଛ ମିଳିଥିଲା। ତେବେ ରଙ୍ଗକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେବାରୁ ଏହାକୁ ଅନ୍ୟ ଏକ ମାଛ ବୋଲି ଧରି ନିଆଯାଇଥିଲା।

ମାଳଦୀପରେ ଥିବା ନେସନାଲ୍ ଓସିଏନିକ୍ ଏଣ୍ଡ୍ ଏଟମସ୍ଫରିକ୍ ଏଡମିନିଷ୍ଟ୍ରେସନ୍ (ଏନ୍ଓଏଏ) ଅନୁଯାୟୀ, ରେନବୋ ଫିଶ୍ ପଶ୍ଚିମ ଭାରତ ମହାସାଗରରେ ମିଳିଥାଏ। ଏହା ଗଭୀରତମ ସମୁଦ୍ରରୁ ମିଳୁଥିବା କୋରଲ୍ ରିଫ୍(ମୁଂଗା ପଥର) ମଧ୍ୟରେ ରହିଥାଏ। ସମୁଦ୍ରର ଏହି ସ୍ଥାନକୁ ଟ୍ଵିଲାଇଟ୍ ଜୋନ୍ ବୋଲି କୁହାଯାଏ। ବୈଜ୍ଞାନିକମାନେ ଏହି ମାଛକୁ ୧୩୧ରୁ ୨୨୯ ଫୁଟ ଗଭୀରରେ ପହଁରୁଥିବା ଅବସ୍ଥାରେ ପାଇଥିଲେ। ତେବେ ପୁରୁଷ ଓ ସ୍ତ୍ରୀ ମାଛର ରଙ୍ଗ ଭିନ୍ନ ପ୍ରକାର ରହିଛି। ଏହି ମାଛ ଉପରେ ଅଧିକ ଗବେଷଣା ଜାରି ରହିଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର