ନୂଆଦିଲ୍ଲୀ: ଭାରତର ହିମାଳୟ ରାଜ୍ୟମାନଙ୍କରେ ମୌସୁମୀ ବର୍ଷା ପ୍ରତିବର୍ଷ ବିପର୍ଯ୍ୟୟର ରୂପ ନେଉଛି। ଚଳିତ ମୌସୁମୀରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଆଦି ରାଜ୍ୟରେ ବାଦଲ ଫଟା ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ହିମାଚଳ ପ୍ରଦେଶରେ ଜୁନ୍ ୨୦ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୩୯୪ ଜଣ ପ୍ରାଣ ହରାଇଛନ୍ତି ଏବଂ ୪,୪୬୫ କୋଟି ଟଙ୍କାର କ୍ଷତି ହୋଇଛି। ଏହି ବିପର୍ଯ୍ୟୟଗୁଡ଼ିକ କେବଳ ପ୍ରାକୃତିକ ନୁହେଁ, ବରଂ ମାନବୀୟ କାର୍ଯ୍ୟକଳାପ ଦ୍ୱାରା ମଧ୍ୟ ହେଉଛି ବୋଲି ଅନେକ ପରିବେଶବିତ୍ କହିଛନ୍ତି।
ଜଳବାୟୁ ପରିବର୍ତ୍ତନ ହିଁ ମୌସମୁୀ ବିପର୍ଯ୍ୟୟର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଆର୍କଟିକ୍ ଉଷ୍ଣତା ଯୋଗୁଁ ‘ପଶ୍ଚିମ ବିକ୍ଷୋଭ’ ସଂଖ୍ୟା ବଢ଼ିଛି, ଯାହା ମୌସୁମୀ ସମୟରେ ଅତ୍ୟଧିକ ବର୍ଷା ଘଟାଉଛି। ୨୦୨୫ରେ ଜୁନ୍ ୧ରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଭାରତରେ ଏଭଳି ୧୪ଟି ସ୍ଥିତି ଦେଖାଯାଇଛି। ଏହା ହିମାଳୟରେ ବର୍ଷା ପ୍ରବାହକୁ ଅନିୟମିତ କରିଛି, ଯାହା ଗ୍ଲେସିୟର ତରଳିବା ଏବଂ ଗ୍ଲେସିଆଲ୍ ଲେକ୍ ବିସ୍ଫୋରଣକୁ ବଢ଼ାଉଛି। ଉତ୍ତରାଖଣ୍ଡରେ ଦଶକରେ ତାପମାତ୍ରା ୧.୫ ଡିଗ୍ରି ବଢ଼ିବା ଯୋଗୁଁ ଫଳ ଚାଷ କ୍ଷେତ୍ର ୫୪% ହ୍ରାସ ପାଇଛି।
ମାନବୀୟ ହସ୍ତକ୍ଷେପ ଏଭଳି ସ୍ଥିତିକୁ ଆହୁରି ଜଟିଳ କରୁଛି। ଚାରି ଧାମ୍ ହାଇୱେ ଭଳି ବୃହତ୍ ପରିଯୋଜନା ଯୋଗୁଁ ଗଛ କଟାଯାଉଛି ଓ ପାହାଡ଼ ଧ୍ବଂସ କରାଯାଉଛି। ଏଭଳି ସ୍ଥିତି ଭୂସ୍ଖଳନ ସୃଷ୍ଟି କରୁଛି। ଉତ୍ତରାଖଣ୍ଡରେ ଏହି ଯୋଜନା ଆରମ୍ଭରୁ ୮୦୦ରୁ ଅଧିକ ଭୂସ୍ଖଳନ ଘଟିଛି। ହିମାଚଳରେ ୨୦୨୩ରେ ୧୬୩ ଭୂସ୍ଖଳନ ଏବଂ ୮୩ ଆକସ୍ମିକ ବନ୍ୟା ଯୋଗୁଁ କେବଳ ସଡ଼କ କ୍ଷେତ୍ରରେ ୧,୬୩୨ କୋଟି ଟଙ୍କାର କ୍ଷତି ହୋଇଛି। ହାଇଡ୍ରୋପାୱାର୍ ପ୍ରୋଜେକ୍ଟ୍ ଏବଂ ଅନିୟନ୍ତ୍ରିତ ବିକାଶ ପ୍ରାକୃତିକ ଜଳପ୍ରବାହକୁ ଅବରୋଧ କରୁଛି। ବେପରୁଆ ବିକାଶ କାର୍ଯ୍ୟ, ପର୍ଯ୍ୟଟନ ବୃଦ୍ଧି ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ବିପର୍ଯ୍ୟୟର ମୁଖ୍ୟ କାରଣ ହୋଇଥିବାରୁ ଜମ୍ମୁ-କାଶ୍ମୀରରେ ଅଗଷ୍ଟ ୧୪ରେ ବାଦଲ ଫଟା ବର୍ଷା ଯୋଗୁଁ ୬୭ ଜଣ ପ୍ରାଣ ହରାଇଛନ୍ତି। ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମିକମାନେ ଏହି ବିପର୍ଯ୍ୟୟର ପ୍ରମୁଖ ଶିକାର ହୋଇଛନ୍ତି। କୃଷି ଏବଂ ପର୍ଯ୍ୟଟନ କ୍ଷେତ୍ର ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛି।