୨୦୨୧ ଅକ୍ଟୋବର ମାସର ବୃଷ୍ଟିପାତ ୧୨୦ ବର୍ଷରେ ସର୍ବାଧିକ: ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଚଳିତବର୍ଷ ଅକ୍ଟୋବର ମାସରେ ହୋଇଥିବା ବୃଷ୍ଟିପାତ ୧୨୦ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି। ବିଭାଗ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ଚଳିତବର୍ଷ ଅକ୍ଟୋବର ମାସରେ କେରଳରେ ୫୮୯.୯ ମିଲିମିଟର ବର୍ଷା ହୋଇଛି, ଯାହା ୧୯୦୧ରୁ ଏ ପର୍ଯ୍ୟନ୍ତ ସର୍ବାଧିକ ଏବଂ ରାଜ୍ୟରେ ଗତବର୍ଷ ଅକ୍ଟୋବର ମାସରେ ହୋଇଥିବା ବର୍ଷାର ଦୁଇଗୁଣରୁ ଅଧିକ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅବଶିଷ୍ଟାଂଶ ଯୋଗୁ ପ୍ରବଳ ବର୍ଷା ହୋଇଥିଲା, ଯାହା ଅକ୍ଟୋବର ୨୫ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଏହାପରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହେଲା। ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ପିଏସ୍ ବିଜୁଙ୍କ କହିବା ଅନୁସାରେ ଚଳିତବର୍ଷ ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିଲା। ଅଗଷ୍ଟ-ସେପ୍ଟେମ୍ବର ମାସରେ ଅଧିକ ବର୍ଷା ହେବା ଫଳରେ ମୋଟ ବର୍ଷା ପରିମାଣ ସ୍ବାଭାବିକ ସ୍ତରକୁ ଆସିଥିଲା।

୨୦୨୧ ପୂର୍ବରୁ ରାଜ୍ୟରେ ଅକ୍ଟୋବର ମାସରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବର୍ଷଗୁଡ଼ିକ ହେଉଛି: ୧୯୩୨ (୫୪୩.୩ ମିମି), ୧୯୯୯ (୫୬୭.୯ମିମି) ଓ ୨୦୦୨ (୫୧୧.୭ମିମି) ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛି। ୧୨୦ ବର୍ଷ ଭିତରେ ୧୯୮୯ ଅକ୍ଟୋବର ମାସରେ ରାଜ୍ୟରେ ୧୦୦ ମିମିରୁ କମ୍ ବର୍ଷା ହୋଇଥିଲା। ସାଧାରଣତଃ ଏହି ମାସରେ ୨୦୦ରୁ ୪୦୦ ମିମି ଭିତରେ ବର୍ଷା ହୋଇଥାଏ।

ସମ୍ବନ୍ଧିତ ଖବର