ମୌସୁମୀର ବିଦାୟ: ଏ ବର୍ଷ ଭାରତରେ ୬% ଅଧିକ ବର୍ଷା

ଉତ୍ତରପ୍ରଦେଶ ଓ ବିହାର ସମେତ ୬ଟି ରାଜ୍ୟରେ କମ୍ ବର୍ଷା

ନୂଆଦିଲ୍ଲୀ : ଭାରତରେ ଦକ୍ଷିଣପଶ୍ଚିମ ମୌସୁମୀ ଋତୁ ଶେଷ ହୋଇଛି। ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ସାମାନ୍ୟ ଅଧିକ ବର୍ଷା କରି ବିଦାୟ ନେବାକୁ ଯାଉଛି। ପରିମାଣାତ୍ମକ ଦୃଷ୍ଟିରୁ ଶୁକ୍ରବାର ସୁଦ୍ଧା ଶେଷ ହୋଇଥିବା ଏ ଋତୁରେ ୯୨୫ ମିମି ବର୍ଷା ହୋଇଛି, ଯାହା ଦୀର୍ଘକାଳୀନ ହାରାହାରି (ଏଲ୍‌ପିଏ)ଠାରୁ ୬ ପ୍ରତିଶତ ଅଧିକ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରକାଶ କରିଛି।
ଜୁନ୍ ମାସରେ ପାଣିବାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ ଏ ବର୍ଷ ବର୍ଷାଋତୁରେ ସ୍ବାଭାବିକ ବର୍ଷା ହେବ କିମ୍ବା ଦୀର୍ଘକାଳୀନ ହାରାହାରିର ୯୬ରୁ ୧୦୪ ପ୍ରତିଶତ ଭିତରେ ବର୍ଷା ହେବ।

Skymet Weather

ଗତ ୪ ମାସ ଭିତରେ ସ୍ବାଭାବିକ ବା ଅଧିକ ବର୍ଷା ହୋଇଛି। ଉତ୍ତରପଶ୍ଚିମାଞ୍ଚଳରେ ୧ ପ୍ରତିଶତ, କେନ୍ଦ୍ର ଭାରତରେ ୧୯ ପ୍ରତିଶତ ଓ ଦକ୍ଷିଣ ଉପଦ୍ବୀପୀୟ ଅଞ୍ଚଳରେ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ତେବେ ପୂର୍ବ ଓ ଉତ୍ତରପୂର୍ବ ଅଞ୍ଚଳରେ ଜୁଲାଇ ମାସରୁ ସ୍ବାଭାବିକଠାରୁ ୧୮ ପ୍ରତିଶତ କମ୍ ବର୍ଷା ହୋଇଛି। ଦେଶର ୪୩ ପ୍ରତିଶତ ଅଞ୍ଚଳରେ ସ୍ବାଭାବିକ ଓ ୪୦ ପ୍ରତିଶତ ଅଞ୍ଚଳରେ ଅଧିକ ବର୍ଷା ହୋଇଛି। ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ମଣିପୁର, ମିଜୋରାମ ଓ ନାଗାଲାଣ୍ଡରେ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛି। ଇଣ୍ଡୋ-ଗାଙ୍ଗେୟ ସମତଳ ଅଞ୍ଚଳରେ ସେପ୍ଟେମ୍ବର ବ୍ୟତୀତ ଅନ୍ୟ ମାସଗୁଡ଼ିକରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି। ସେପ୍ଟେମ୍ବର ୧୫ରୁ ୨୫ ଭିତରେ ହୋଇଥିବା ବର୍ଷା ଯୋଗୁ ଉତ୍ତରପ୍ରଦେଶର ବର୍ଷା ଅଭାବ ପୂରଣ ହୋଇଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି। ତେବେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ପଶ୍ଚିମ ଆଡ଼କୁ ଗତି କରୁଥିବାରୁ ଆସନ୍ତା ଅକ୍ଟୋବର ୪ରୁ ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ କେନ୍ଦ୍ର ଭାରତରେ ମୌସୁମୀର ବିଦାୟ ଅକ୍ଟୋବର ୧୩ ଯାଏ ବିଳମ୍ବିତ ହେବ। ତେଣୁ ମୌସୁମୀ ଭାରତରୁ ସମ୍ପୂର୍ଣ୍ଣ ବିଦାୟ ନେଲା ବେଳକୁ ଅକ୍ଟୋବର ୧୫ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର