ସାମାଜିକ ସଶକ୍ତିକରଣ ପାଇଁ କୃତ୍ରିମ ବୁଦ୍ଧିମତାର କେତେ ଆବଶ୍ୟକତା ରହିଛି ସେ ବାବଦରେ ଆସନ୍ତାକାଲି କହିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ସଶକ୍ତିକରଣ ପାଇଁ କୁତ୍ରିମ ବୁଦ୍ଧିମତା (ରେଜ ୨୦୨୦) ଭର୍ଚୁଆଲ ସମ୍ମିଳନୀକୁ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଉଦଘାଟନ କରିବେ । ଆସନ୍ତା ୫ ରୁ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୃହତ ଭର୍ଚୁଆଲ ଶିଖର ସମ୍ମିଳନୀ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଛି । ସ୍ୱାସ୍ଥ୍ୟ ସେବା, କୃଷି, ଶିକ୍ଷା ଓ ସୂଚନା ପ୍ରଯୁକ୍ତି ଇତ୍ୟାଦି କ୍ଷେତ୍ରରେ କୁତ୍ରିମ ବୁଦ୍ଧିମତାର ଆବଶ୍ୟକତା ଓ ସାମାଜିକ ପରିବର୍ତ୍ତନ ନେଇ ଏହି ସମ୍ମିଳନୀରେ ଯୋଗ ଦେବାକୁ ଥିବା ବିଶ୍ଵର ପ୍ରତିନିଧିଗଣ ସେମାନଙ୍କ ମତ ବିନିମୟ କରିବେ ।

ଏହି ଶିଖର ବୈଠକରେ ବୈଶ୍ଵିକ ମହାମାରୀ ମୁକାବିଲାରେ କୁତ୍ରିମ ମେଧାର ଆବଶ୍ୟକତା, ପ୍ରୟୋଗ ଓ ଅନ୍ୟାନ୍ୟ ବିଷୟ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମାନ ହେବ । ରେଜ-୨୦୨୦ ଶିଖର ସମ୍ମିଳନୀରେ କୁତ୍ରିମ ବୁଦ୍ଧିମତା ପାଇଁ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପମାନଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଅକ୍ଟୋବର ୬ ତାରିଖ ଦିନ ହେବାକୁ ଥିବା କୁତ୍ରିମ ବୁଦ୍ଧିମତା ଷ୍ଟାର୍ଟଅପ ଆଲୋଚନାରେ ବଛା ବଛା ଷ୍ଟାର୍ଟଅପ କମ୍ପାନୀଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ । ବିଶ୍ଵର ତୃତୀୟ ବୃହତ ଷ୍ଟାର୍ଟଅପ ଇକୋସିଷ୍ଟମ ଭାବେ ପରିଚିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଟି ଓ ଅନ୍ୟାନ୍ୟ ତତସମ୍ପର୍କୀୟ ଅନୁଷ୍ଠାନମାନ ଏଥିରେ ଯୋଗଦେବେ ।

କୁତ୍ରିମ ବୁଦ୍ଧିମତା ଯୋଗୁଁ ଭାରତର ଅର୍ଥନୀତି ୨୦୩୫ ସୁଦ୍ଧା ୯୭୫ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଏହାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ।ରେଜ-୨୦୨୦ ମାଧ୍ୟମରେ ଦେଶର ସାମାଜିକ ପରିବର୍ତ୍ତନ ଲାଗି ପ୍ରଥମଥର ପାଇଁ କୁତ୍ରିମ ବୁଦ୍ଧିମତାର ବିଶ୍ଵସ୍ତରୀୟ ବୈଠକ ଆୟୋଜନ ହୋଇଛି । ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ହେଉଥିବା ଏହି ବୈଠକରେ ବିଶ୍ୱବ୍ୟାପୀ କୁତ୍ରିମ ବୁଦ୍ଧିମତା ଶିଳ୍ପର ପ୍ରତିନିଧି ଓ ବିଦ୍ଵାନମାନେ ଯୋଗଦେଇ ମତ ବିନିମୟ କରିବେ ।

ସମ୍ବନ୍ଧିତ ଖବର