ଜୟପୁର: ପୁଣି ଥରେ ରାଜସ୍ଥାନ କଂଗ୍ରେସରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ସଂପର୍କ ଠିକ ନ ଥିବାର ସଙ୍କେତ ମିଳିଛି। ରାଜ୍ୟ କ୍ରୀଡ଼ାମନ୍ତ୍ରୀଙ୍କ ଦ୍ବାରା ଆୟୋଜିତ ଏକ ସଭାରେ ସଚିନ ପାଇଲଟଙ୍କ ସମର୍ଥନରେ ଲୋକେ ସ୍ଲୋଗାନ ଦେବା ପରେ କଂଗ୍ରେସ ସମର୍ଥକଙ୍କୁ ଚେତାବନୀ ଦିଆଯାଇଛି ଯେ ଯଦି ସେମାନେ ରାଜୀବ ଗାନ୍ଧୀ ଏବଂ ଅଶୋକ ଗେହଲଟଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କ ସପକ୍ଷରେ ସ୍ଲୋଗାନ ଦିଅନ୍ତି ତେବେ ସେମାନଙ୍କୁ ଜେଲ ପଠାଯିବ। ଅଶୋକ ଗେହଲଟଙ୍କ ପରାମର୍ଶଦାତା ବାବୁଲାର ନଗାର ଏହି ଘୋଷଣା କରିଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଆଗମନ ପୂର୍ବରୁ ସେ କଂଗ୍ରେସ ସମର୍ଥକମାନଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି କଂଗ୍ରେସ ସମର୍ଥକମାନେ ଅନ୍ୟ କାହା ସପକ୍ଷରେ ସ୍ଲୋଗାନ ଦିଅନ୍ତି ତେବେ ପୁଲିସ ସେମାନଙ୍କୁ ଉଠାଇ ନେବ। କୁହାଯାଉଛି ଯେ, ସଚିନ ପାଇଲଟଙ୍କ ସମର୍ଥନରେ ଯେମିତି କେହି ସ୍ଲୋଗାନ ନଦେବେ ସେଥିପାଇଁ ଏଭଳି ଘୋଷଣା କରାଯାଇଛି।

ରାଜୀବ ଗାନ୍ଧୀ ଗ୍ରାମୀଣ ଅଲିମ୍ପିକ୍ ଗେମ୍ସକୁ ନେଇ ଡୁଡୁରେ ଆୟୋଜିତ କାର୍ଯ୍ୟକ୍ରମରେ ସମର୍ଥକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଚେତାବନୀ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା କହିଥିଲେ ଯେ, ମୁଁ ରାଜୀବ ଗାନ୍ଧୀ ଅମର ରହେ, ଅଶୋକ ଗେହଲଟ୍ ଜିନ୍ଦାବାଦ୍ ଏହି ଦୁଇଟି ସ୍ଲୋଗାନ କହିବା ପାଇଁ କହିଛି। ଏ ଦୁଇଟିକୁ ଛାଡ଼ି ଆଉ କୌଣସି ସ୍ଲୋଗାନ ସଭାରେ ନଶୁଭିବା ଉଚିତ୍। ଅଲଗା କିଛି ସ୍ଲୋଗାନ ଦେବାର ଥିଲେ ବୈଠକରୁ ଉଠି ଚାଲିଯିବା ଭଲ। କାରଣ ଯଦି ପୁଲିସ ଉଠାଇନେବ, ତେବେ ପରେ ମୋତେ ଦୋଷ ଦେବ ନାହିଁ। ଆପଣ ସମ‌ସ୍ତେ କେବଳ କରତାଳି ଦେବା ସହ ମୁଁ ଦେଇଥିବା ଦୁଇଟି ସ୍ଲୋଗାନ ହିଁ ଦେବେ।