ବିରୋଧୀଙ୍କୁ ମୋଦୀଙ୍କ ପରାମର୍ଶ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର କଥା ବିଶ୍ୱକୁ ଜଣାଅ

ଟୁମକୁରୁ (କର୍ଣ୍ଣାଟକ) : ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ଦେଶରେ ଚାଲିଥିବା ଏସବୁ ଆନ୍ଦୋଳନ ଭାରତୀୟ ସଂସଦ ବିରୋଧରେ କରାଯାଉଛି ।
ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଗତ ୭୦ ବର୍ଷ ହେଲା ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ । ଯଦି ସେମାନଙ୍କର ସତସାହସ ଅଛି ସେମାନେ ପାକିସ୍ତାନର ଅତ୍ୟାଚାର କଥା ବିଶ୍ୱ ସମ୍ମୁଖରେ ଉଜାଗର କରନ୍ତୁ । ସେ କହିଛନ୍ତି ଯେ ପାକିସ୍ତାନ ଧର୍ମଭିତ୍ତିରେ ପ୍ରତିଷ୍ଠା ହୋଇଥିଲା । ଦେଶବିଭାଜନଠାରୁ ଆଜି ପର୍ଯ୍ୟନ୍ତ ପାକିସ୍ତାନରେ ହିନ୍ଦୁ, ଶିଖ,ଖ୍ରୀଷ୍ଟିଆନ, ପାର୍ସିମାନଙ୍କ ଉପରେ ଅତ୍ୟାଚାର ହୋଇଆସୁଛି ।

କର୍ଣ୍ଣାଟକର ସିଦ୍ଧଗଙ୍ଗା ମଠ ନିକଟରେ ଅନୁଷ୍ଠିତ ଏକ ଜନସଭାରେ ସେ କହିଛନ୍ତି ଯେ ଯେଉଁମାନେ ସ୍ଲୋଗାନ ଦେବାକୁ ଚାହୁଁଛନ୍ତି ସେମାନେ ପାକିସ୍ତାନରୁ ଆସୁଥିବା ସଂଖ୍ୟାଲଘୁ, ଦଳିତଙ୍କ ସପକ୍ଷରେ ସ୍ଲୋଗାନ ଦିଅନ୍ତୁ । ମୋଦୀ ଏହି ଅବସରରେ ସିଦ୍ଧଗଙ୍ଗା ମଠ ନିକଟରେ ଥିବା ଲିଙ୍ଗାୟତ ଗୁରୁ ଶିବକୁମାର ସ୍ୱାମୀଙ୍କ ସମାଧିପୀଠରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର