ଶେଷରେ ଲତାଙ୍କୁ ଖୋଜିଲେ ରାଜ୍‌ କପୁର

ମୁମ୍ବାଇ: ଲତାଙ୍କ ଗୀତକୁ ବାଦ ଦେଇ ସୋ-ମ୍ୟାନ୍ ରାଜ୍ କପୁରଙ୍କ ଫିଲ୍ମର ପରିକଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। ‘ସତ୍ୟମ୍ ଶିବମ୍ ସୁନ୍ଦରମ୍’ ହେଉ କି ‘ରାମ ତେରି ଗଙ୍ଗା ମୈଲି’ ପ୍ରାୟ ଫିଲ୍ମରେ ଲତାଙ୍କ ଗୀତ ହିଁ ସଫଳତା ଆଣି ଦେଇଛି ରାଜ୍ କପୁରଙ୍କୁ। ତେବେ ଏମିତି ଏକ ଦିନ ଆସିଥିଲା ଯେତେବେଳେ ଲତା ରାଜ୍‌ କପୁରଙ୍କ ଫିଲ୍ମରେ ଗାଇବେ ନାହିଁ ବୋଲି କହିଦେଇଥି‌ଲେ। ସେହିଭଳି ରାଜ୍ କପୁର ମଧ୍ୟ ଲତାଙ୍କୁ ବାଦ୍ ଦେଇ ନିଜ ଫିଲ୍ମର ଗୀତକୁ ସଫଳ କରାଇବାକୁ ପଣ କରିଦେଲେ। ବିବାଦର ପଛର କାରଣ ଥିଲା ରୟାଲ୍‌ଟି।

ଆଜ୍‌ତକ୍‌ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲତା ମଙ୍ଗେସକର ହିଁ ଏହି ଘଟଣାର ଅନାବରଣ କରିଥିଲେ। ଲତା ଦିନେ ରାଜ୍ କପୁରଙ୍କ ଅଫିସ୍‌ରେ ଯାଇ ପହଞ୍ଚିଗଲେ ଓ କହିଲେ, ସେ କେବଳ ଗୀତ ଗାଇବା ପାଇଁ ଟଙ୍କା ନେବେ ନାହିଁ; ରେକର୍ଡ ବିକ୍ରିର ରୟାଲ୍‌ଟି ‌ବି ନେବେ। ରାଜ କପୁର କହିଲେ: ମୁଁ ଗାୟକ ଗାୟିକାଙ୍କୁ କେବଳ ଗାଇବା ପାଇଁ ଟଙ୍କା ଦିଏ। ରୟାଲ୍‌ଟି ଦିଏ ନାହିଁ। ଲତା କହିଲେ: ଆଜିଠୁ ମୁଁ ଘୋଷଣା କରୁଛି ଯେ ମୁଁ ଆପଣଙ୍କ ପାଇଁ ଗୀତ ଗାଇବି ନାହିଁ। ଲତାଙ୍କର ଏ କଥା ରାଜ୍ କପୁରଙ୍କୁ ଆହୁରି ତତେଇ ଦେଲା। ସେ କହିଲେ: କ’ଣ ଭାବୁଛ, ତୁ‌ମେ ନ ଗାଇଲେ ମୋ ଫିଲ୍ମ ଚାଲିବନି। ଦେଖିବ, ତୁମ ଜାଗାରେ ମୁଁ ଅନ୍ୟ ଗାୟିକାଙ୍କୁ‌ ନେବି ଆଉ ଗୀତ ହିଟ୍ କରିବି।

ବାସ୍, କଥା ସେଇଠି ରହିଲା। ଲତା ଫେରି ଆସିଲେ। ରାଜ୍ କପୁର୍‌ ବି ଆଉ ଲତାଙ୍କୁ ଗାଇବା ପାଇଁ ଡାକିଲେନାହିଁ। ରାଜ୍ କପୁର ଲତାଙ୍କୁ ବାଦ୍‌ ଦେଇ ପ୍ରାୟ ଦୁଇଟି ଫିଲ୍ମ କରିଥିଲେ। ହେଲେ ତାହା ତାଙ୍କୁ ସଫଳତା ଦେଇପାରି ନଥିଲା। ରାଜ୍ କପୁର ସମ୍ଭବତଃ ନିଜର ଭୁଲ ବୁଝିପାରିଥିଲେ। ସେଥିଲାଗି ସେ ପୁଣିଥରେ ଡାକିଲେ ଲତାଙ୍କୁ। ଫିଲ୍ମ ସମୀକ୍ଷକଙ୍କ କହିବା ଅନୁଯାୟୀ, ରାଜ୍ କପୁର ‘ରାମ ତେରି ଗଙ୍ଗା ମୈଲି’ ଫିଲ୍ମ କରିବାର ଯୋଜନା କରୁଥାନ୍ତି। ମ୍ୟୁଜିକ୍ ସ୍କୋର କରିବାର ଦାୟିତ୍ବ ଦିଆଯାଇଥାଏ ରବୀନ୍ଦ୍ର ଜୈନଙ୍କୁ। ରବୀନ୍ଦ୍ର ଜୈନ୍ ବି ନିଜର ମନ ପସନ୍ଦର ଗାୟିକା ହେମ୍‌ଲତାଙ୍କୁ ନେଇ ‘ରାମ୍ ତେରି ଗଙ୍ଗା ମୈଲି’ର ଗୀତ ରିହରସାଲ୍ ଆରମ୍ଭ କରିଦେଇଥାନ୍ତି। ହେଲେ ମଝିରୁ ରୋକିଦେଲେ ରାଜ୍ କପୁର। କହିଥିଲେ, ମୁଁ ମୋର ପୁରୁଣା ଭୁଲ୍‌ର ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ମୁଁ ଚାହୁଁଛି ‌ମୋ ଫିଲ୍ମରେ ଲତା ମଙ୍ଗେସକର ହିଁ ଗୀତ ଗାଇବେ।

ସମ୍ବନ୍ଧିତ ଖବର