ରାଜ୍‌ କୁନ୍ଦ୍ରା: ବସ୍ କଣ୍ଡକ୍ଟର ପୁଅରୁ ବିଜ୍‌ନେସ୍ ଟାଇକୁନ୍‌

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା‌ ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରା ଗତ କିଛିଦିନ ହେଲା ଖରାପ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ନାମରେ ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ଅଭିଯୋଗ ଆସିଛି। ଏହି ମାମଲାରେ ସେ ଗିରଫ ହୋଇ ଏବେ ପୁଲିସ ହେ‌ପାଜତରେ ଅଛନ୍ତି। ଗତକାଲି ମୁମ୍ବାଇର ଏକ ଅଦାଲତ ତାଙ୍କ ରିମାଣ୍ଡକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଆଇପିସି ଏବଂ ସୂଚନା ପ୍ରଯୁକ୍ତି ଆଇନର ବିଭିନ୍ନ ଧାରାରେ ତାଙ୍କୁ ଗିରଫ କରାଯାଇଛି। ରାଜ୍ ଜଣେ ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କ ବାପା ବାଳକୃଷ୍ଣ କୁନ୍ଦ୍ରା ଜଣେ ବସ୍ କଣ୍ଡକ୍ଟର ଭାବେ ଲଣ୍ଡନରେ କାମ କରୁଥିଲେ। ବସ୍ କଣ୍ଡକ୍ଟର ରହିବା ପରେ ସେ ନିଜର‌ ଗୋଟିଏ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ। ବାପାଙ୍କୁ ଦୋକାନରେ ରାଜ୍‌ଙ୍କ ମାଆ ଉଷାରାଣୀ କୁନ୍ଦ୍ରା ସାହାଯ୍ୟ କରୁଥିଲେ।

ଲଣ୍ଡନରେ ଜନ୍ମ ହୋଇଥିବା ରାଜ୍‌ ତାଙ୍କ ବ୍ୟବସାୟ କ୍ୟାରିଅର୍ ସାଲ୍ ବିକ୍ରେତାଭାବେ ଆରମ୍ଭ କରିଥିଲେ। ବ୍ରିଟେନର ଫେସନ୍ ରିଟେଲରମାନଙ୍କୁ ସେ ପସ୍‌ମିନା ସାଲ୍‌ ବିକ୍ରି କରୁଥିଲେ। ଏହି ବ୍ୟବସାୟରେ ସେ ଯଥେଷ୍ଟ ଅର୍ଥ ଉପାର୍ଜନ କରିଥିଲେ। ଏହାପରେ ୨୦୦୭ରେ ସେ ଦୁବାଇ ଯାଇ ସେଠାରେ ଏସେନ୍‌ସିଆଲ୍ ଜେନେରାଲ ଟ୍ରେଡିଂ ଏଲଏଲସି ନାମରେ ଏକ କମ୍ପାନି ସ୍ଥାପନ କରିଥିଲେ। ତାଙ୍କର ଏହି କମ୍ପାନି ବିଭିନ୍ନ ପ୍ରକାର ମୂଲ୍ୟବାନ ଧାତୁ, ନିର୍ମାଣ ସାମଗ୍ରୀ, ଖଣି, ଅକ୍ଷୟ ଶକ୍ତି ଭଳି ବ୍ୟବସାୟ କରିଥିଲା। ସେହି ସମୟରେ ସେ ବଲିଉଡ୍ ସିନେମାର ଫାଇନାନ୍ସ କରିବା ସହିତ ପ୍ରଯୋଜକ ମଧ୍ୟ ହୋଇଥିଲେ। ୨୦୦୪ରେ ସକ୍ସେସ୍ ନାମକ ଏକ ବିଜ୍‌ନେସ୍ ମାଗାଜିନରେ ସେ ବ୍ରିଟିସ ଏସୀୟ ଧନୀ ତାଲିକାର ୧୯୮ତମ ସ୍ଥାନରେ ରହିଥିଲେ।

କୁନ୍ଦ୍ରା ଦୁଇଥର ବିବାହ କରିଛନ୍ତି। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ କବିତା କୁନ୍ଦ୍ରା ହୋଇଥିବାବେଳେ ସେମାନଙ୍କର ଗୋଟିଏ ଝିଅ ରହିଛି। ରାଜନ୍ ଓ କବିତାଙ୍କ ବିବାହ ବିଚ୍ଛେଦ ହୋଇଛି। ଏହାପରେ ରାଜନ୍ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ୨୦୦୯ ନଭେମ୍ବର ୨୨ରେ ବାହା ହୋଇଛନ୍ତି। ରାଜ୍‌ ଓ ଶିଳ୍ପାଙ୍କର ଦୁଇଟି ସନ୍ତାନ ରହିଛନ୍ତି।

ଅତ୍ୟାବଶ୍ୟକ କ୍ରୀଡା ଏବଂ ମିଡିଆ ସମେତ ସତ୍ୟଯୁଗ ଗୋଲ୍‌ଡ, ସୁପର ଫ୍ଲାଇଟ୍ ଲିଗ୍ ଏବଂ ବସ୍ତିଆନ୍ ହସ୍ପିଟାଲିଟି ନାମରେ ମୁମ୍ବାଇର ‌ଏକ ରେସ୍ତୋରା ଚେନ୍‌ ସହ ଜଡ଼ିତ ଅଛନ୍ତି। ୨୦୦୯ରେ ତାଙ୍କ ପତ୍ନୀ ଶିଳ୍ପା ଆଇପିଏଲ୍‌ କ୍ରିକେଟ ଟିମ୍ ରାଜସ୍ଥାନ ରୟାଲ୍ସରେ ନିବେଶ କରିଥିଲେ। ତେବେ ୨୦୧୫ ଜୁଲାଇରେ ସୁପ୍ରିମ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଏକ କମିଟି ସ୍ପଟ୍‌ ଫିକ୍ସି ମାମଲାରେ କ୍ରିକେଟ୍‌ ସଂପର୍କିତ କାର୍ଯ୍ୟରୁ ଆଜୀବନ ବାସନ୍ଦ କରିଛନ୍ତି। ୨୦୧୫ରେ ତାଙ୍କର ବେଳା ଖରାପ ଆରମ୍ଭ ହୋଇଥିବାବେଳେ ଏବେ ସେ ଅଶ୍ଳୀଳ ସ‌ିନେମା ପ୍ରସ୍ତୁତ କରି ଆପ୍‌ ମାଧ୍ୟମରେ ସେଗୁଡ଼ିକୁ ଛାଡ଼ୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହା ତାଙ୍କ ଛବିକୁ ଆହୁରି ମଳିନ କରିଦେଇଛି। ତେବେ ରାଜ୍‌ କେବଳ ଜଣେ ବ୍ୟବସାୟୀ ଭାବେ ନୁହେଁ ଜଣେ ଲେଖକଭାବେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ। ସେ ‘ହାଓ ନଟ୍‌ ଟୁ ମେକ୍ ମନି’ ନାମରେ ଏକ ପ୍ରସ୍ତୁତ ଲେଖିଛନ୍ତି ଯାହାକି ୨୦୧୩ ଅକ୍ଟୋବର ୧୪ରେ ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର