ଜେଲରୁ ବାହାରିବା ପରେ ରାଜ କୁନ୍ଦ୍ରା ସାମ୍ବାଦିକମାନଙ୍କ କୌଣସି ପ୍ରଶ୍ନର ଉତ୍ତର ରଖିଲେ ନାହିଁ

ମୁମ୍ବାଇ: ଜେଲରୁ ବାହାରିଛନ୍ତି ରାଜ କୁନ୍ଦ୍ରା । ୨ ମାସରୁ ଅଧିକ ସମୟ ଜେଲରେ କାଟିବା ପରେ ରାଜଙ୍କୁ ଗତକାଲି ଜାମିନ ମିଳିଥିଲା। ଆଜି ଜେଲରୁ ବାହାରିବା ପରେ ରାଜ କୁନ୍ଦ୍ରାଙ୍କୁ ସାମ୍ବାଦିକମାନେ ଘେରିଯାଇ ପ୍ରଶ୍ନ କରିଥିଲେ ମଧ୍ୟ କୌଣସି ଉତ୍ତର ସେ ରଖି ନଥିଲେ । ଜେଲରୁ ବାହାରିବା ପରେ ରାଜଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ମୁହଁରେ ମାସ୍କ ଓ ମଥାରେ ଲାଲ ରଙ୍ଗର ତିଲକ ଲଗାଇ ଜେଲରୁ ବାହାରିଥିଲେ ରାଜ । ଏହି ସମୟରେ ସେ ବେଶ ଚିନ୍ତିତ ଥିବା ଭଳି ମନେ ହେଉଥିଲା । ତେବେ ଜେଲରୁ ବାହାରିବା ପରେ ନିଜ ପରିବାରକୁ ଭେଟିଛନ୍ତି ରାଜ୍ ।

ଅଶ୍ଳୀଳ ସିନେମା ମାମଲାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗତକାଲି ମିଳିଥିଲା ଜାମିନ । ୫୦ ହଜାର ଟଙ୍କା ମୁଚାଲିକାରେ ମାଜିଷ୍ଟ୍ରେଟ କୋର୍ଟ ରାଜଙ୍କୁ ଜାମିନ ପ୍ରଦାନ କରିଥିଲେ । ଗତ ଗୁରୁବାର ମୁମ୍ବାଇ ପୁଲିସ କୁନ୍ଦ୍ରାଙ୍କ ବିରୋଧରେ ୧୪ଶହ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାୟର କରିଥିଲା । ଯାହାକୁ ବିରୋଧ କରି ଶନିବାର ପୁଣିଥରେ ବେଲ୍ ପାଇଁ ଆବେଦନ କରିଥିଲେ ରାଜ କୁନ୍ଦ୍ରା ।

ସେ ପୁଣିଥରେ କୋର୍ଟଙ୍କ ସମ୍ମୁଖରେ କହିଥିଲେ ଯେ  ତାଙ୍କୁ ଜାଣିଶୁଣି ଟାର୍ଗେଟ କରିବାକୁ ଚେଷ୍ଟା କରାଯାଉଛି । ସେ ଅଶ୍ଳୀଳ ସିନେମା ପ୍ରସ୍ତୁତ କରୁଥିବାର ପୁଲିସ ପାଖରେ ସେଭଳି କୌଣସି ଠୋସ୍ ପ୍ରମାଣ ନାହିଁ । ଏହାପରେ ସୋମବାର ମୁମ୍ବାଇ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।

ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ଏବଂ ଆପ୍ ଜରିଆରେ ସେଗୁଡିକ ରିଲିଜ୍ କରିବା ନେଇ ପୁଲିସ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । ଏହାପରେ ବଲିଉଡର ଲୋକପ୍ରିୟ ଦମ୍ପତି ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଜୀବନ ପୂରା ଓଲଟ ପାଲଟ ହୋଇଯାଇଥିଲା । ତଦନ୍ତର ପରିସରକୁ ରାଜ କୁନ୍ଦ୍ରାଙ୍କ ସହ ଟଣା ହୋଇଥିଲେ ପତ୍ନୀ ଶିଳ୍ପା ସେଟ୍ଟୀ । ମାତ୍ର ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିଲା ପୁଲିସକୁ । ଗଣମାଧ୍ୟମରେ ମଧ୍ୟ ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖବର ଦେଖିବାକୁ ମିଳିଲା । ରାଜ ଗିରଫ ହେବା ପରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଶିଳ୍ପା । ତାଙ୍କ ହାତରୁ ଅନେକ ବିଜ୍ଞାପନ ଓ ପ୍ରୋଜକ୍ଟ ମଧ୍ୟ ପଳେଇ ଯାଇଛି। ଏତେ ସବୁ ସମସ୍ୟା ପରେ ଶେଷରେ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ୍ । ତେବେ ଏହା ପରେ ଶିଳ୍ପା ଓ ରାଜଙ୍କ ବ୍ୟକ୍ତିଗତ ଜୀବନ ଆଗଭଳି ସ୍ୱାଭାବିକ ହେବ କି ନାହିଁ ତାହା କେବଳ ସମୟ  ହିଁ କହିବ ।

ସମ୍ବନ୍ଧିତ ଖବର