ମୁମ୍ବାଇ: ହିନ୍ଦୀ ସିନେ ନାୟିକା ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ମାତ୍ର ଦେଢ଼ ବର୍ଷ ତଳେ ଅଶ୍ଳୀଳ ସିନେ ବେପାର ଆରମ୍ଭ କରିଥିଲେ ଏବଂ ଖୁବ୍ କମ୍ ସମୟ ଭିତରେ କୋଟି କୋଟି ଟଙ୍କା କମାଇଥିଲେ ବୋଲି ତାଙ୍କୁ ଗିରଫ କରିଥିବା ମୁମ୍ବାଇ ପୁଲିସର ଆପରାଧିକ ଶାଖାର ସମ୍ପତ୍ତି ବିଭାଗ ପକ୍ଷରୁ କୁହାଯାଇଛି। ଏପରିକି କୁନ୍ଦ୍ରା ତାଙ୍କ ବେପାରର ଚାହିଦାକୁ ଦୃଷ୍ଟିରେ ରଖି ଲଣ୍ଡନରେ ରହୁଥିବା ତାଙ୍କ ଶାଳକ ପ୍ରଦୀପ ବକ୍ସିଙ୍କ କେନ୍ରିନ୍ ଲି. କମ୍ପାନି ସହାୟତାରେ ସେଠାରେ ଏକ ଅଶ୍ଳୀଳ ମଞ୍ଚ ସ୍ଥାପନ କରିବାକୁ ଯୋଜନା କରିଥିଲେ। ଅପରପକ୍ଷେ, କାଳେ ତାଙ୍କର ଏପରି କୁତ୍ସିତ କାରନାମା ପୁଲିସ ଆଖିରେ ଧରା ପଡ଼ିଯିବ, ସେଥିପାଇଁ ସେ ଦ୍ବିତୀୟ ବିକଳ୍ପ ଭାବେ ବଲିଫେମ୍ ମାନକ ଏକ ଦ୍ବିତୀୟ କମ୍ପାନିର ପରିକଳ୍ପନା ମଧ୍ୟ କରିଥିଲେ।
ତେବେ ମହାମାରୀ କୋଭିଡ୍-୧୯ର ପ୍ରଥମ ଲହର ଲକ୍ଡାଉନ୍ ବେଳେ ତାଙ୍କର ଏହି ବେପାର ବେଶ୍ ଜମିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ତାଙ୍କର ଅଶ୍ଳୀଳ ଭିଡିଓଗୁଡ଼ିକ ସେ ଭାରତରୁ ହଟ୍ସଟ୍ ଆପ୍ ସାହାଯ୍ୟରେ ଅପ୍ଲୋଡ୍ କରିପାରୁନଥିବାରୁ ସେଗୁଡ଼ିକୁ ସେ ଵି ଟ୍ରାନ୍ସଫର ଆପ୍ ମାଧ୍ୟମରେ ବିଦେଶକୁ ପ୍ରେରଣ କରୁଥିଲେ। ଭିଡିଓର ସମସ୍ତ ବିଷୟବସ୍ତୁ ତାଙ୍କ କାର୍ଯ୍ୟାଳୟରେ ହିଁ ପ୍ରସ୍ତୁତ ହେଉଥିଲା ଏବଂ ଲଣ୍ଡନ ସ୍ଥିତ କ୍ରେନ୍ରିନ୍ ଲି. କମ୍ପାନିକୁ ପଠାଯାଉଥିଲା ବୋଲି ପୁଲିସ ଯୁଗ୍ମ କମିସନର ମିଲିନ୍ଦ ଭାରାମ୍ବେ କହିଛନ୍ତି। ଏହି ବେପାରରୁ ସେ ପ୍ରଥମେ ପ୍ରଥମେ ଦୈନିକ ୨ରୁ ୩ ଲକ୍ଷ ଟଙ୍କା ଆୟ କରୁଥିବା ବେଳେ ପରେ ତାହା ୬ରୁ ୮ ଲକ୍ଷରେ ପହଞ୍ଚିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଏହି ଅବସରରେ କୁନ୍ଦ୍ରାଙ୍କର ବିଭିନ୍ନ ଜମାଖାତାରେ ରହିଥିବା ସାଢ଼େ ୭ କୋଟି ଟଙ୍କାକୁ କ୍ରାଇମ୍ ବ୍ରାଞ୍ଚ୍ ଅଚଳ କରିଦେଇଛି।