ମାସ୍କ ନ ପିନ୍ଧି ୧ ହଜାର ଟଙ୍କା ତଣ୍ଡ ଗଣିଲେ ରାଜ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇଥିବା ସତ୍ତ୍ୱେ ନେତାମାନେ ଗାଇଡଲାଇନ ମାନିବାକୁ ପ୍ରସ୍ତୁତ ନାହାନ୍ତି । ଆଜି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମାସ୍କ ନପିନ୍ଧି ହଟହଟା ହୋଇଛନ୍ତି । କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବାରୁ ତାଙ୍କଠାରୁ ପ୍ରଶାସନ ପକ୍ଷରୁ ୧ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ସେ ମୁମ୍ବାଇରୁ ମାଣ୍ଡଓ୍ଵାକୁ ଯାତ୍ରା କଲାବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସେ ମାଣ୍ଡଓ୍ଵାକୁ ରୋରୋରେ ( ଛୋଟ ଜାହାଜ) ଯାତ୍ରା କରୁଥିଲେ । ଏହି ସମୟରେ ସେ ମାସ୍କ ପିନ୍ଧିନଥିଲେ ଓ ସିଗାରେଟ ମଧ୍ୟ ଟାଣୁଥିଲେ । ଏହାକୁ ଦୃଷ୍ଟିରେ ରଖି ଜାହାଜର କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ୧ ହଜାର ଟଙ୍କାର ଜୋରିମନା କଟାଯାଇଥିଲା । ସେ ମଧ୍ୟ ଏହାକୁ ଦେଇଥିଲେ ।
କରୋନା ମହାମାରୀ ସାରା ଭାରତକୁ କବଳିତ କରି ରଖିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସୁଦ୍ଧା ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୪,୮୭,୫୮୦ ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୦୩୨୯୯ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୭,୮୮୨ ଅନ୍ତର୍ଭୁକ୍ତ । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୩,୯୬,୩୯୯ ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର