କହ୍ନେୟାଲାଲ ହତ୍ୟାକାରୀଙ୍କର ଅଛି ପାକ୍‌ ଲିଙ୍କ୍‌; ଜଣେ ଅଭିଯୁକ୍ତ ୨୦୧୪ରେ ଯାଇଥିଲେ କରାଚି: ପୁଲିସ

ଜୟପୁର: ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା କହ୍ନେୟା ଲାଲ ଟେଲିଙ୍କ ନିର୍ମମ ହତ୍ୟାଘଟଣାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଜଘନ୍ୟ ଘଟଣାରେ ସଂପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପାକିସ୍ତାନ ସ୍ଥିତ ଦାୱତ-ଏ-ଇସଲାମୀ ସଂଗଠନ ସହିତ ସମ୍ପର୍କ ରଖିଥିଲେ। ଖାଲି ଏତିକି ନୁହେଁ, ୨୦୧୪ରେ ସଂପୃକ୍ତ ଅଭିଯୁକ୍ତ ପାକିସ୍ତାନର କରାଚି ଗସ୍ତ କରିଥିଲା ବୋଲି ରାଜସ୍ଥାନ ପୁଲିସ ମୁଖ୍ୟ ବୁଧବାର ଦିନ କହିଛନ୍ତି।

ରାଜସ୍ଥାନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଏମ ଏଲ ଲାଥର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ ଆଉ ତିନି ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି। ପୁଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତ ରିଆଜ ଅଖତରୀ ଏବଂ ଘୋଉଷ୍ ମହମ୍ମଦ ମଙ୍ଗଳବାର ଦିନ ଉଦୟପୁରରେ ଥିବା ତାଙ୍କ ଦୋକାନରେ କହ୍ନେୟା ଲାଲଙ୍କୁ ହତ୍ୟା କରିଥିଲେ ଏବଂ ସେମାନେ ଇସଲାମ୍‌ ପ୍ରତି ଅପମାନ କରିଥିବାରୁ ପ୍ରତିଶୋଧ ନେଉଛନ୍ତି କହି ଅନଲାଇନରେ ଏକ ଭିଡିଓ ପୋଷ୍ଟ କରିଥିଲେ।

ଏହି ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ପୁଲିସ ହେପାଜତକୁ ନିଆଯାଇଥିଲା ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଏବଂ ଆଇପିସି ଅଧୀନରେ ଗିରଫ କରାଯାଇଥିଲା ବୋଲି ପୁଲିସ ମୁଖ୍ୟ କହିଛନ୍ତି। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଘୋଉଷ୍ ମହମ୍ମଦଙ୍କ କରାଚିସ୍ଥିତ ଇସ୍ମାଲିଷ୍ଟ ସଂଗଠନ ଦାୱତ-ଏ-ଇସଲାମି ସହିତ ସମ୍ପର୍କ ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେ ୨୦୧୪ରେ କରାଚି ଗସ୍ତ କରିଥିଲେ। ଏପର୍ଯ୍ୟନ୍ତ, ଆମେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଏହି ଘଟଣାରେ ପାଞ୍ଚ ଜଣଙ୍କୁ ଅଟକ ରଖିଛୁ ବୋଲି ପୁଲିସ ମହାନିର୍ଦ୍ଦେଶକ ଲାଥର ଗଣମାଧ୍ୟକୁ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନ୍‌ଆଇଏ) ଉପରେ ନ୍ୟସ୍ତ କରିଛି। ଏହି ଘଟଣାରେ କୌଣସି ସଂଗଠନ ଏବଂ ଆନ୍ତର୍ଜାତୀୟ ଲିଙ୍କ୍‌ର ସମ୍ପୃକ୍ତିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଅନ୍‌ଆଇଏ ପକ୍ଷରୁ କରାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏନ୍‌ଆଇଏ ମଧ୍ୟ ଆଜିଠାରୁ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର