ଚେନ୍ନାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେ ଓ ତାମିଲନାଡ଼ୁର ବିଜେପି ନେତା କେ ଅନ୍ନାମଲାଇଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ରାଜ୍‌ ଅନ୍ନାମଲାଇଙ୍କୁ ‘ରସ୍‌ମଲାଇ’ କହି ଉପହାସ କରିବା ସହିତ ଧୋତିକୁ ଲୁଙ୍ଗି ଭାବେ ବର୍ଣ୍ଣନା କରିଥିଲେ। ଅନ୍ନାମଲାଇ ମୁମ୍ବାଇ ପ୍ରସଙ୍ଗରେ କହିବାକୁ କିଏ ବୋଲି ରାଜ୍‌ କହିବା ସହିତ ‘ହଟାଓ ଲୁଙ୍ଗି,ବଜାଓ ପୁଙ୍ଗି’ ବୋଲି ସ୍ଲୋଗାନ ଦେଇଥିଲେ। ଜାନୁଆରୀ ୧୫ରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ୨୯ଟି ମ୍ୟୁନିସିପାଲ କର୍ପୋରେସନରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପ୍ରଚାର ଅବସରରେ ଏମ୍‌ଏନ୍‌ଏସ୍ ଓ ଶିବସେନା (ୟୁବିଟି)ର ଯୁଗ୍ମ ରାଲିକୁ ସମ୍ବୋଧିତ କରି ରାଜ୍‌ ଅନ୍ନାମଲାଇଙ୍କୁ ଟାର୍ଗେଟ କରିଥିଲେ। ମୁମ୍ବାଇ ଓ ତାମିଲ ଆଇକନ କେ କାମରାଜଙ୍କୁ ନେଇ ଅନ୍ନାମଲାଇଙ୍କ ମନ୍ତବ୍ୟ ପରେ ରାଜ୍‌ ଠାକ୍‌ରେ ଏହି କହିଥିଲେ।

Advertisment

ତେବେ ସୋମବାର ଅନ୍ନାମଲାଇ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ତାଙ୍କୁ ଧମକ ଦେବାକୁ ଏମ୍‌ଏନ୍‌ଏସ୍‌ ମୁଖ୍ୟ କିଏ? ସେ ଜଣେ କୃଷକଙ୍କ ପୁଅ, ଏପରି ରାଜନୈତିକ ଧମକ ଦ୍ବାରା ସେ ଭୟଭୀତ ହୁଅନ୍ତି ନାହିଁ। ଅନ୍ନାମଲାଇ ଗଣମାଧ୍ୟମ ରିପୋର୍ଟ ଯେଉଁଥିରେ ସେ ମୁମ୍ବାଇ ଆସିଲେ ସେମାନେ (ଏମ୍‌ଏନ୍‌ଏସ୍ ଓ ଶିବସେନା ୟୁବିଟି କର୍ମୀ) ତାଙ୍କ ଗୋଡ଼ କାଟିଦେବେ ବୋଲି ଧମକ ଦେଇଛନ୍ତି, ସେହି ପରିପ୍ରେକ୍ଷୀରେ ଏହି ମନ୍ତବ୍ୟ ଦେଇଥିଲେ। ଅନ୍ନାମଲାଇ କହିଛନ୍ତି, ମୁଁ ଯଦି କହିବି କାମରାଜ ଭାରତର ଜଣେ ମହାନ ନେତା ଥିଲେ ତା’ମାନେ ନୁହେଁ କି ସେ ତାମିଲ ଲୋକ ନୁହନ୍ତି। ମୁଁ ଯଦି କହିବି ମୁମ୍ବାଇ ଏକ ବିଶ୍ବସ୍ତରୀୟ ସହର ତା’ର ଅର୍ଥ ନୁହେଁ, ମହାରାଷ୍ଟ୍ର ଲୋକ ଏହାର ନିର୍ମାଣ କରିନାହାନ୍ତି। ତାଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ରାଜ୍‌ ‌ଠାକ୍‌ରେ ଦେଇଛନ୍ତି ତାହା ତାମିଲ ଲୋକଙ୍କୁ ଅପମାନ କରିବାର ସମସ୍ତ ସୀମା ପାର୍‌ କରିଛି ବୋଲି ପୂର୍ବତନ ଆଇପିଏସ୍‌ ଅଧିକାରୀ କହିଛନ୍ତି।