ଭୁଜବଳଙ୍କଠାରୁ ରାଜ୍‌ ଠାକ୍‌ରେ: ସେନାକୁ ସବୁବେଳେ ନିଜ ଲୋକଙ୍କଠୁ ଝଟ୍‌କା ମିଳିଛି

ନୂଆଦିଲ୍ଲୀ: ୧୯୬୬ ଜୁନ୍‌ ୧୯ ତାରିଖରେ ବାଲାସାହେବ ଠାକ୍‌ରେ ଶିବସେନା ଦଳର ପ୍ରତିଷ୍ଠା କରିଥିଲେ। ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ନଡ଼ିଆ ଭାଙ୍ଗି ବାଲାସାହେବ ଠାକରେ ଦଳର ଶୁଭାରମ୍ଭ କରିଥିଲେ। କିନ୍ତୁ ବାଲାସ‌ାହେବ ଜାଣିନଥିଲେ ଯେ ନଡ଼ିଆ ଭଙ୍ଗିବାଭଳି ତାଙ୍କ ଦଳର ଭାଗ୍ୟ ୫୬ ବର୍ଷ ପରେ ଏଭଳି ଭାବେ ଭାଙ୍ଗିଯିବ। ଦୀର୍ଘ ୫୬ ବର୍ଷରେ ଶିବସେନାରେ ୪ଥର ବିଦ୍ରୋହ ଦେଖାଦେଇଛି। ୪ଥର ଶିବସେନାର ନିଜ ଲୋକ ଦଳ ବିରୋଧରେ ଯାଇଛନ୍ତି। ୩ଟି ଘଟଣା ବାଲାସାହେବଙ୍କ ଅଧୀନରେ ଘଟିଥିବାବେଳେ ଗୋଟିଏ ଘଟଣା ଉଦ୍ଧବ ଠାକ୍‌ରେଙ୍କ ଅଧୀନରେ ଘଟିଛି। ଏକନାଥ ସିନ୍ଦେ ଦଳ ବି‌ରୋଧରେ ବିଦ୍ରୋହ କରି ଉଦ୍ଧବ ଠାକ୍‌ରେଙ୍କୁ ଶକ୍ତ ଝଟ୍‌କା ଦେଇଛନ୍ତି। ପରିଶେଷରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କ ଅଧୀନରେ ପ୍ରଥମ ଥର ପାଇଁ ଏଭଳି ଏକ ବିଦ୍ରୋହ ହୋଇଛି। ବାସ୍ତବରେ ଏହା ହେଉଛି ଦଳ‌ରେ ଚତୁର୍ଥ ଘଟଣା।

ଶିବସେନାକୁ ପ୍ରଥମ ପ୍ରମୁଖ ଝଟ୍‌କା ୧୯୯୧ରେ ମିଳିଥିଲା। ବାଲାସାହେବଙ୍କ ଘନିଷ୍ଠ ଏବଂ ଶିବସେନାର ଓବିସି ନେତା ଛଗନ ଭୁଜବଳ ୧୯୯୧ରେ ଦଳକୁ ଭାଙ୍ଗିଦେବାପାଇଁ ଧମକ ଦେଇଥିଲେ। ମହାରାଷ୍ଟ୍ରରେ ଶିବସେନା ଅଧିକ ଆସନ ଜିତିବାରେ ଭୁଜବଳଙ୍କର ଅଧିକ ଅବଦାନ ଥିଲେ ମଧ୍ୟ ବାଲ୍‌ ଠାକ୍‌ରେ ମନୋହର ଯୋଶୀଙ୍କୁ ବିରୋଧୀ ଦଳ ନେତା କରିବାରୁ ଉକ୍ତ ନିଷ୍ପତ୍ତିରେ ଭୁଜବଳ ଅସନ୍ତୁଷ୍ଟ ଥିଲେ। ‌ଏହାପରେ ଭୁଜବଳ ୧୮ ବିଧାୟକଙ୍କ ସହ ଦଳ ଛାଡ଼ିଦେଲେ। କିନ୍ତୁ ସେହି ସମାନ ଦିନରେ ୧୨ ବିଦ୍ରୋହୀ ବିଧାୟକ ସେନାକୁ ଫେରି ଆସିଥିଲେ। ଭୁଜବଳ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି ଏକ ଭିନ୍ନ ଗୋଷ୍ଠୀ ଭାବେ ବିବେଚନା କଲେ। ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲାନି। ଭୁଜବଳ ପରେ କଂଗ୍ରେସ ଏବଂ ଏହାପ‌ରେ ଏନ୍‌ସିପିରେ ଯୋଗ ଦେଲେ। ଏହା ଥିଲା ଶିବସେନାକୁ ପ୍ରଥମ ଝଟ୍‌କା।
ଦ୍ବିତୀୟ ଝଟ୍‌କା ମିଳିଥିଲା ୧୫ ବର୍ଷ ପରେ। ୨୦୦୫ ଜୁଲାଇରେ ନାରାୟଣ ରାଣେ ଏବଂ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ମୁହାଁମୁହିଁ ଲଢ଼େଇ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଣେ ଶିବସେନାର ୬୨ ବିଧାୟକଙ୍କ ମଧ୍ୟରୁ ୪୦ ବିଧାୟକଙ୍କୁ ନେଇ ଦଳରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶିବସେନା ପକ୍ଷରୁ ଏହାକୁ ପଣ୍ଡ କରାଯାଇଥିଲା। ପରିଶେଷରେ ରାଣେଙ୍କ ସମେତ ମୋଟ୍‌ ୧୨ ଜଣ କଂଗ୍ରେସରେ ଯୋଗ ଦେଇଥିଲେ। ରାଣେ ପରେ ପୁଣି ବିଜେପିରେ ଯୋଗ ଦେଲେ। ତୃତୀୟ ଝଟ୍‌କା ମଧ୍ୟ ସେହି ସମାନ ବର୍ଷରେ ମିଳିଥିଲା। ନେତୃତ୍ବ ଯୁଦ୍ଧରୁ ରାଜ୍‌ ଠାକ୍‌‌ରେ ଶିବସେନା ଛାଡ଼ି ଦେଇଥିଲେ। ୨୦୦୫ ଡିସେମ୍ବରରେ ରାଜ୍‌ ଠାକ୍‌ରେ ଶିବସେନା ଛାଡ଼ି ନିଜର ଏକ ଦଳ ଏମଏନଏସ୍‌ (ମହାରାଷ୍ଟ୍ର ନବନିର୍ମାଣ ସେନା) ଗଢ଼ିଥିଲେ।

ସମ୍ବନ୍ଧିତ ଖବର