ମୁମ୍ବାଇ : ପୁଣିଥରେ ଭାଷା ବିବାଦ ଉପରେ କହିଛନ୍ତି ରାଜ୍ ଠାକରେ । ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଯେତେ ନେତା ଅଛନ୍ତି ସମସ୍ତଙ୍କଠାରୁ ତାଙ୍କର ହିନ୍ଦୀ ଭଲ। କାରଣ ତାଙ୍କର ବାପା ଭଲ ହିନ୍ଦୀ, ଉର୍ଦ୍ଦୁ ଓ ମରାଠୀ କହୁଥିଲେ । ଭଲ ହିନ୍ଦୀ କହିବା ସେ ତାଙ୍କ ବାପାଙ୍କଠାରୁ ଶିଖିଛନ୍ତି । କିନ୍ତୁ ହିନ୍ଦୀ ଦ୍ବାରା କାହାର କଲ୍ୟାଣ ହୋଇଛି ? ଏହି ଭାଷା ପ୍ରାୟ ୨୫୦ରୁ ଅଧିକ ଆଞ୍ଚଳିକ ଭାଷାକୁ ଲୋପ କରିଦେଇଛି । ଏହି ଭାଷା କୌଣସି ବି ରାଜ୍ୟର ମାତୃଭାଷା ନୁହେଁ । ଏହାକୁ ମାତ୍ର ୨୦୦ ବର୍ଷ ପୂର୍ବେ ତିଆରି କରାଯାଇଛି। ଏହି ଭାଷା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଦରଦ ରହୁଛି । ହନୁମାନ ଚାଳିସା ହିନ୍ଦୀରେ ନୁହେଁ ଅଓ୍ବଧିରେ ରଚିତ ହୋଇଛି ।
ରାଜ କହିଛନ୍ତି “ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କହିଥିଲେ ଯେ ସେ ହିନ୍ଦୀକୁ ତୃତୀୟ ଭାଷାଭାବେ ଲାଗୁ କରିବେ। ଏହା ପରେ, ବିରୋଧର ଭୟରେ ସେ ନିଷ୍ପତ୍ତି ଫେରାଇ ନେଇଥିଲେ। ମୁଁ କହୁଛି, ମହାରାଷ୍ଟ୍ରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ନେଇ ଆମକୁ ଦେଖାନ୍ତୁ। କେବଳ ଦୋକାନ ନୁହେଁ, ଆମେ ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ କରିଦେବୁ।"