ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ। 'ଅପରେସନ ସିନ୍ଦୂର' ଅଧୀନରେ ପାକିସ୍ତାନ ଉପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍ କରିଛି। ଭାରତୀୟ ସେନା, ପାକିସ୍ତାନ ଏବଂ ପିଓକେରେ ନିର୍ମିତ ୯ଟି ଆତଙ୍କବାଦୀ ତାଲିମ ଶିବିରକୁ ଧ୍ୱଂସ କରିଛି। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଭାରତ ସରକାରଙ୍କ ଏହି ପଦକ୍ଷେପକୁ ଦେଶ ସହ ବିରୋଧୀ ମଧ୍ୟ ପ୍ରଶଂସା କରୁଥିଲେ ବି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଏହା ଉପରେ ଏକ ବଡ଼ ବିବୃତି ଦେଇଛନ୍ତି।
ରାଜ ଠାକରେ କହିଛନ୍ତି, "ପହଲଗାମରେ ଆକ୍ରମଣ ପରେ ମୁଁ ପ୍ରଥମ ପୋଷ୍ଟ କରିଥିଲି। ସେମାନଙ୍କୁ (ପାକିସ୍ତାନକୁ) ଶିକ୍ଷା ଦେବା ଜରୁରୀ ଥିଲା। ତଥାପି ଯୁଦ୍ଧ, ଆକ୍ରମଣର ଜବାବ ନୁହେଁ। ପାକିସ୍ତାନ ପୂର୍ବରୁ ଏକ ଦେବାଳିଆ ଦେଶ। ତା’ ସହ ଯୁଦ୍ଧ କରି କିଛି ଲାଭ ନାହିଁ। ଆମେ ଏପର୍ଯ୍ୟନ୍ତ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ପାଇପାରି ନାହୁଁ। ସେମାନଙ୍କୁ ଖୋଜି ମାରିବା ଉଚିତ୍। ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶରେ ଥିଲେ। ଏହା ପରେ ସେ ଭାରତ ଆସି କିଛି କରିବା ପରିବର୍ତ୍ତେ ବିହାର ଚାଲିଗଲେ। ବିହାରରୁ ସେ କେରଳ ଯିବା ସହ ପରେ ଏକ ଚଳଚ୍ଚିତ୍ର ଇଭେଣ୍ଟରେ ଯୋଗ ଦେଲେ। ଏସବୁ କରିବାର ଆବଶ୍ୟକତା ନଥିଲା। ସେ ଏସବୁ ନକରି କିଭଳି ପହଲଗାମ ଆତଙ୍କବାଦୀଙ୍କୁ ଖୋଜି ସେମାନଙ୍କୁ ନିପାତ କରାଯିବ, ସେ ଦିଗ ପ୍ରତି ଧ୍ୟାନ ଦେବାର ଥିଲା। ଏବେ ଦେଶରେ ମକ୍ ଡ୍ରିଲ୍ କରିବାକୁ କହିବା ସହ ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ କରୁଛନ୍ତି। ଏହାର କିଛି ବି ଆବଶ୍ୟକତା ନଥିଲା। ପହଲଗାମ ଆତଙ୍କବାଦୀ କୁଆଡେ ଗଲେ? ତାଙ୍କ ପତ୍ତା ଖୋଜି ତାଙ୍କୁ ନିପାତ କରିବାର ଥିଲା। "