ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମଙ୍ଗଳବାର ଦିନ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଠି ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପାଇଁ ୫୩ ବର୍ଷୀୟ ଠାକରେଙ୍କୁ ଭର୍ତ୍ତି କରାଯାଇଛି | ଆସନ୍ତାକାଲି ତାଙ୍କର ଆଣ୍ଠୁରେ ସର୍ଜରୀ କରାଯିବ | ଏହାପୂର୍ବରୁ ସେ ଜୁନ୍ ୫ରେ ଅଯୋଧ୍ୟା ଯିବାର ଯୋଜନା କରିଥିଲେ କିନ୍ତୁ ଆଣ୍ଠୁ ସମସ୍ୟା ପାଇଁ ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ତେବେ ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ ରାଜଙ୍କର ଅଯୋଧ୍ୟା ଗସ୍ତକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବିରୋଧ କରାଯାଉଛି । ଜଣେ ଏମଏନଏସ ନେତା ଏହି ସୂଚନା ଦେଇଛନ୍ତି |

Advertisment

ଏମଏନଏସ ନେତା ନିତିନ ସରଦେଶାଇ ଆଜି କହିଛନ୍ତି ଯେ ଠାକରେଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଯିବ | ତେଣୁ ଅଯୋଧ୍ୟା ଗସ୍ତ ବାତିଲ କରାଯାଇଛି | ଉଲ୍ଲେଖ ଥାଉ କି ରାଜ ଠାକରେ ହେଉଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପର୍କୀୟ। କିଛିଦିନ ତଳେ ମସଜିଦରେ ଲାଗିଥିବା ଲାଉଡସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମୟ ଦେଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ |

ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଲାଉଡସ୍ପିକରକୁ ହଟାନ୍ତୁ ନଚେତ୍ ମୁଁ ମସଜିଦ ସମ୍ମୁଖରେ ଲାଉଡସ୍ପିକର ରଖି ହନୁମାନ ଚାଳିଶା ବଜାଇବି ବୋଲି କହିଥିଲେ । ଏଭଳି କହି ଲାଉଡସ୍ପିକର ହଟାଇବା ପାଇଁ ସେ ଉଦ୍ଧବ ସରକାରଙ୍କୁ ଚେତାବନୀ ଦେଇଥିଲେ |