ମୁମ୍ବାଇ: ଶନିବାର ମହାରାଷ୍ଟ୍ରରେ ରାଜ ଠାକରେଙ୍କ ଏମଏନଏସ ପାର୍ଟିର କର୍ମକର୍ତ୍ତାମାନେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେଙ୍କ ଗାଡି ଉପରକୁ ଗୋବର ଏବଂ ଚୁଡ଼ି ଫିଙ୍ଗିଥିଲେ। ଏହା ପରେ ରାଜ ଠାକରେ ସମସ୍ତ କର୍ମୀଙ୍କୁ ଏକ ଭିଡିଓ କଲ କରି ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ, ଗୋବର ଏବଂ ଚୁଡ଼ି ଫିଙ୍ଗିବା ପଛରେ ଏମଏନଏସର ହିଁ ଭୂମିକା ଅଛି ବୋଲି ଦଳ ପକ୍ଷରୁ ସ୍ୱୀକାର କରାଯାଇଛି | ଏମଏନଏସ(ମହାରାଷ୍ଟ୍ର ନବନିର୍ମାଣ ସେନା) କହିଛି ଯେ ଏହି ଘଟଣା ପୂର୍ବରୁ ଘଟିଥିଲା, ଯେତେବେଳେ ଶିବସେନା ସଦସ୍ୟମାନେ ରାଜ ଠାକରେଙ୍କ ଗାଡି ଉପରକୁ ଗୁଆ ଫିଙ୍ଗିଥିଲେ | ତେବେ ଏନେଇ ଶିବସେନା (ୟୁବିଟି) ନେତା ଆନନ୍ଦ ଦୁବେ ମଧ୍ୟ ଉଦ୍ଧବ ଠାକରେଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ଉଦ୍ଧବ ଠାକରେଙ୍କୁ ଜେଡ ବର୍ଗର ସୁରକ୍ଷା ମିଳିଛି ଏବଂ ସେ ବାଲାସାହେବ ଠାକରେଙ୍କ ପୁଅ, ଯଦି ସେ ରାଜ୍ୟରେ ସୁରକ୍ଷିତ ନୁହଁନ୍ତି ତେବେ ସେମାନେ (ମହାଯୁତି ସରକାର) ସାଧାରଣ ଲୋକଙ୍କୁ କିପରି ସୁରକ୍ଷା ଦେବେ? ଏହି ଆକ୍ରମଣ ରାଜ୍ୟ ସରକାରଙ୍କ ବିଫଳତା। ଏଠାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି, ଗୃହମନ୍ତ୍ରୀ ଇସ୍ତଫା ଦେବା ଉଚିତ୍।
ବାସ୍ତବରେ ମହାରାଷ୍ଟ୍ରର ଥାନେରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେଙ୍କ ସଭାସ୍ଥଳରେ ଏମଏନଏସ କର୍ମୀମାନେ ହଙ୍ଗାମା କରିଥିଲେ । ରାଜ ଠାକରେଙ୍କ କର୍ମୀମାନେ ଉଦ୍ଧବ ଠାକରେଙ୍କ ଗାଡ଼ି ଉପରକୁ ଗୋବର ଫିଙ୍ଗିଥିଲେ । ସେପଟେ ଶିବସେନା ମୁଖ୍ୟଙ୍କ ଗାଡ଼ି ଉପରକୁ ଏମଏନଏସର ମହିଳା କର୍ମୀମାନେ ଚୁଡ଼ି ଫିଙ୍ଗିଥିଲେ । ଏହା ସହିତ ଉଦ୍ଧବଙ୍କ ଗାଡ଼ି ଉପରକୁ ଟମାଟୋ ମଧ୍ୟ ଫିଙ୍ଗାଯାଇଥିଲା । ସୂଚନା ଅନୁସାରେ ଶୁକ୍ରବାର ଦିନ, ଯେତେବେଳେ ଏମଏନଏସ ମୁଖ୍ୟ ରାଜ ଠାକରେ ମହାରାଷ୍ଟ୍ର ଗସ୍ତରେ ଥିଲେ, ଶିବସେନା (ୟୁବିଟି) କର୍ମୀମାନେ ରାଜ ଠାକରେଙ୍କ ଗାଡ଼ି ଉପରକୁ ଗୁଆ ଫିଙ୍ଗିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଏମଏନଏସ କର୍ମୀମାନେ ଏପରି କରିଥିଲେ ।