ରାଜ ଠାକରେଙ୍କ ‘ମୋଦିମୁକ୍ତ ଭାରତ’ ଡାକରା

ବିଜେପି ଉପରେ ନୀତୀଶ କ୍ଷୁବ୍ଧ

ମୁମ୍ବାଇ: ବିଜେପି ନେତୃତ୍ୱାଧୀନ ଜାତୀୟ ଗାଣତନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)ର ସହଯୋଗୀ ଦଳ ଶିବସେନା ସମ୍ପ୍ରତି ବିଜେପି ବିରୋଧରେ ବିଷୋଦ୍‌ଗାର କରି ଚାଲିଥିବା ବେଳେ ମହାରାଷ୍ଟ୍ରର ଅନ୍ୟତମ ପ୍ରଭାବଶାଳୀ ଦଳ ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକ୍‌ରେ ବିଜେପି ବିରୋଧୀ ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ କଂଗ୍ରେସ ମୁକ୍ତ ଭାରତକୁ ନକଲ କରି ସେ ‘ମୋଦି ମୁକ୍ତ ଭାରତ’ ଡାକରା ଦେଇଛନ୍ତି। ସ୍ଥାନୀୟ ଶିବାଜୀ ପାର୍କରେ ଦଳୀୟ କର୍ମକର୍ତ୍ତାଙ୍କୁ ମହାରାଷ୍ଟ୍ରର ମରାଠୀ ନବ ବର୍ଷ ଉପଲକ୍ଷେ ରାଜ୍‌ ଉଦ୍‌ବୋଧନ ଦେବା ଅବସରରେ ଏଭଳି ଡାକରା ପରେ ମହାରାଷ୍ଟ୍ରରେ ଦଳୀୟ କର୍ମୀମାନେ ହଙ୍ଗାମା ଆରମ୍ଭ କରିଦେଇଛନ୍ତି। ସେମାନେ ମୁଖ୍ୟତଃ ମୁମ୍ବାଇର ବିଭିନ୍ନ ଗୁଜରାଟୀ ହୋଟେଲ, ରେସ୍ତୋରାଁ ଓ ଢାବାରେ ଭଙ୍ଗାରୁଜା କରିବା ସହ ଗୁଜରାଟୀ ପୋଷ୍ଟର ଓ ବ୍ୟାନରଗୁଡ଼ିକୁ ଚିରି ଦେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ୨୦୧୭ ଜୁଲାଇରେ ମଧ୍ୟ ଗୁଜରାଟୀଙ୍କ ଉପରେ ଏମ୍‌ଏନ୍‌ଏସ୍‌ କର୍ମକର୍ତ୍ତାମାନେ ଏଭଳି ଆକ୍ରମଣ କରିଥିଲେ।

ପାଟନା: ବିଜେପିର ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ବିହାରରେ ଯେପରି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତିି ତାହାକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ କହିଛନ୍ତି, ସେ ଯେଭଳି ଦୁର୍ନୀତିକୁ ବରଦାସ୍ତ କରନ୍ତି ନାହିଁ, ସେହିଭଳି ସାଂପ୍ରଦାୟିକ ଓ ସାମାଜିକ ଅଶାନ୍ତି ପାଇଁ ଉଦ୍ୟମକୁ ମଧ୍ୟ ବରଦାସ୍ତ କରିବେ ନାହିଁ। ଗତକିଛି ଦିନ ଧରି ଦୁଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଓ ଅଶ୍ୱିନୀ ଚୌବେଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ନୀତୀଶ କହିଛନ୍ତି ଯେ ବିଜେପି ନେତାମାନଙ୍କୁ ସେମାନଙ୍କର ଚିନ୍ତାଧାରା ବଦଳାଇବାକୁ ପଡ଼ିବ। ଏସଂପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ନେତା ରାମ ବିଳାସ ପାଶ୍ୱାନ ଦେଇଥିବା ମନ୍ତବ୍ୟକୁ ସେ ସମର୍ଥନ କରିଛନ୍ତି। ପାଶ୍ୱାନ ଗତକାଲି କହିଥିଲେ, ବିଜେପିର ସ୍ଳୋଗାନ୍‌ ‘ସବ୍‌କା ସାଥ, ସବ୍‌କା ବିକାଶ’ କେବଳ କଥାରେ ନୁହେଁ ବରଂ କାମରେ ଲଗାଇଲେ ଦେଶର ଉନ୍ନତି ହେବ।
ସୂଚନାଯୋଗ୍ୟ, ଆରାରିଆ ଲୋକସଭା ଆସନରେ ଆର୍‌ଜେଡିର ବିଜୟ ପରେ ଏହା ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ପାଲଟିଯିବ ବୋଲି ମନ୍ତ୍ରୀ ଗିରିରାଜ ସିଂହ କହିଥିଲେ। ସେପଟେ ବିହାରର ଏକ ଛକକୁ ନେଇ ହୋଇଥିବା ହତ୍ୟାକାଣ୍ଡକୁ ସେ ସାଂପ୍ରଦାୟିକ ରୂପ ଦେବାକୁ ଚେଷ୍ଟା କରିଛନ୍ତି। ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମଧ୍ୟ ଭାଗଲପୁରରେ ଦଙ୍ଗା ପାଇଁ ଉସୁକାଇଥିବା କଥା ନୀତୀଶ ସ୍ୱୀକାର କରିଛନ୍ତି।
ଗତବର୍ଷ ଲାଲୁ ଓ କଂଗ୍ରେସ ମେଣ୍ଟ ଛାଡ଼ି ବିଜେପି ହାତ ଧରିଥିବା ନୀତୀଶଙ୍କ ଏହି ମନ୍ତବ୍ୟ ନରେନ୍ଦ୍ର ମୋଦିଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର