ୟୁପିର ବାହୁବଳୀ ନେତା ରାଜା ଭୈୟା ଗଢ଼ିବେ ନିଜର ନୂଆ ଦଳ; ନାଁ ରହିବ ଜନସତ୍ତା ଦଳ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଥରେ ନୁହେଁ କି ଦି’ଥର ନୁହେଁ; ଛ’ ଛ’ ଥର ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଜିତିଥିବା ଉତ୍ତରପ୍ରଦେଶର ବାହୁବଳୀ ନେତା ରାଜା ଭୈୟା ଓରଫ ରଘୁରାଜ ପ୍ରତାପ ସିଂହ ନିଜର ଏକ ନୂଆ ରାଜନୈତିକ ଦଳ ଗଢ଼ିବେ ବୋଲି ଘୋଷଣା କରିଛନ୍ତି। ରାଜା ଭୈୟାଙ୍କର ଏହି ନୂତନ ରାଜନୈତିକ ଦଳର ନାମ ଜନସତ୍ତା ଦଳ ରହିବ ବୋଲି ଆପାତତଃ ସ୍ଥିର ହୋଇଛି। ନିଜର ନୂତନ ରାଜନୈତିକ ଦଳର ପଞ୍ଜିକରଣ ପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ ମଧ୍ୟ କରି ସାରିଲେଣି। ଆସନ୍ତା ୩୦ ତାରିଖରେ ତାଙ୍କର ନିର୍ବାଚନ ମଣ୍ଡଳୀ କୁଣ୍ଡା ଠାରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ର‍୍ୟାଲିରେ ୟୁପିର ବାହୁବଳୀ ନେତା ରାଜା ଭୈୟା ତାଙ୍କର ଏହି ନୂତନ ଦଳ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି ଜାଣିବାକୁ ମିଳିଛି।

ଆଜି ପୂର୍ବାହ୍ନରେ ଲକ୍ଷ୍ନୌ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି ବାହୁବଳୀ ନେତା ରାଜା ଭୈୟା। ଏତେ ଦଳ ଥାଉ ଥାଉ କୌଣସି ଏକ ଦଳରେ ଯୋଗ ନଦେଇ ନିଜର ଏକ ଦଳ ଗଠନ କରିବାର କି ଆବଶ୍ୟକତା ଥିଲା ବୋଲି ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ ମୁଁ ବିଗତ ୨୫ ବର୍ଷ ଧରି ରାଜନୀତିରେ ରହିବା ସହ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଲିଣି। ମୋ ଆଦର୍ଶ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଠାରୁ ଭିନ୍ନ। ସେଥିପାଇଁ ନିଜର ଏକ ଅଲଗା ରାଜନୈତିକ ଦଳ ଗଢ଼ିବାକୁ ନିଷ୍ପତ୍ତି ନେଲି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର