ମାଲେସିଆରେ ରଜ ପାଳିଲେ ପ୍ରବାସୀ ଓଡ଼ିଆ

ଓଡ଼ିଆ ଗୀତରେ ଝୁମିଲେ ,କାକରା, ପୋଡପିଠା ଖାଇଲେ, ମିଠା ପାନରେ ମନ ମୋହିଲେ

ଭୁବନେଶ୍ୱର: ଓଡ଼ିଶା ଗଣପର୍ବ କୁହାଯାଉଥିବା ରଜ ପର୍ବ ଯେ ଖାଲି ଓଡ଼ିଶାରେ ପାଳନ ହୁଏ, ତାହା ନୁହେଁ , ବରଂ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶରେ ମଧ୍ୟ ପାଳିତ ହୋଇଛି । ଓଡ଼ିଶାଠାରୁ ହଜାର ହଜାର ମାଇଲ୍ ଦୂର ମାଲେସିଆରେ ରହୁଥିବା ଓଡ଼ିଆମାନେ ଏହି ରଜ ପର୍ବକୁ ବେଶ୍ ସମାରୋହରେ ପାଳନ କରିଛନ୍ତି । କାକରା, ପୋଡ ପିଠା ଓ ମିଠା ପାନ ସହିତ ନାଚ ଗୀତରେ ଏହି ରଜ ପର୍ବ ପାଳନ କରି ଓଡ଼ିଶା ବାହାରେ ରହି ବି ରଜ ପର୍ବକୁ ବେଶ୍ ସ୍ମରଣୀୟ କରିଛନ୍ତି ।

ମାଲେସିଆର ରାଜଧାନୀ କୁଆଲାଲାମ୍ପୁରଠାରେ ରହୁଥିବା ଶହ ଶହ ଓଡ଼ିଆ ରଜ ପର୍ବ ଉପଲକ୍ଷେ ଗତକାଲି ରଜ ସଂକ୍ରାନ୍ତି ଅବସରରେ ଏକତ୍ର ହୋଇଥିଲେ । ସ୍ଥାନୀୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଡିଆ କଲଚରାଲ ସେଂଟରଠାରେ ଆୟୋଜିତ ଏହି ରଜ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଖାଦ୍ୟ ପେୟର ଆସର ଜମିଥିଲା । ମିଠା ପାନ ସାଙ୍ଗକୁ ପୋଡ ପିଠା, ଛେନାପୋଡ, ଦହିବରା, କାକରା ଆଦି ଖାଦ୍ୟ ଖାଇବା ସହିତ ଆରମ୍ଭ ହୋଇଥିଲା ରଜ ପର୍ବ । ଏହି ଅବସରର ମହିଳାମାନେ ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଗୀତ ଗାଇ ସମସ୍ତଙ୍କ ମନ ମୋହିଥିଲେ ।
ଏହି ଅବସରରେ ଆୟୋଜିତ ସଭାରେ ପ୍ରବାସୀ ଓଡ଼ିଆ ସଂଗଠନର ସଭାପତି ଦୀପ୍ତିରଞ୍ଜନ ନନ୍ଦ ଓ ସ୍ନିଗଧା ମିଶ୍ର ପ୍ରମୁଖ ମାଲେସିଆ ରହୁଥିବା ଓଡ଼ିଆମାନଙ୍କ ସଂଗଠନ ସଂପର୍କରେ ଆଲୋକପାତ କରିଥିବା ବେଳେ ରଜ ପର୍ବ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ଏହାପରେ ନାଚଗୀତର ଆସର ଜମିଥିଲା । ମହିଳାମାନେ ସମ୍ବଲପୁରୀ ନୃତ୍ୟ ପିଞ୍ଜିରି ପିଞ୍ଜା, ରିମ୍ ଝିମ୍ ପାନି ବରଷୁଥିଲା, ମୁଇଁ ଯାଇଥିଲି ବରଗଡ ହାଟକୁ ଆଦି ଗୀତରେ ନୃତ୍ୟ ପରିବେଷଣ କରିଥିବା ବେଳେ ଓଡ଼ିଆ ସିନେମା ଗୀତ ମଲକା ମଲକା ଗୀତରେ ମଞ୍ଚ ଦୁଲୁକେଇଥିଲେ । ସେହିପରି ହିନ୍ଦୀ ଗୀତ ମୁଙ୍ଗୁଡା, ଲଡକି ଆଁଖ୍ ମାରେ ଭଳି କିଛି ଗୀତରେ ନାଚିଥିଲେ ।


ସେହିପରି ପୁରୁଷମାନେ ଟିକ୍ ଟିକ୍ ଟିକ୍ ଟିକ୍ ଘଣ୍ଟା ଚାଲେ, ଆମେ ସବୁ ବେକାର ଟୋକା, ଆଜି ମୁଁ ପିଇନି ପରି ଚର୍ଚ୍ଚିତ ଓଡ଼ିଆ ଗୀତରେ ନାଚିଥିବା ବେଳେ ଏହି ନାଚର କୋରିଓଗ୍ରାଫି ବେଶ୍ ପ୍ରଶଂନୀୟ ଥିଲା । ସେହିପରରି ଛୋଟ ଛୋଟ ପିଲାମାନେ ମେୟା ଯଶୋଦା, ଘୁମର, ଭାରତ ନାଟ୍ୟମ, ଓଡ଼ିଶୀ ଏବଂ ବଲିଉଡ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ।


ଏହି ଅବସରରେ ଓଡ଼ିଶାରେ ରଜ ପର୍ବ କେମିତି ପାଳନ ହୁଏ , ରଜ ପର୍ବ ସହିତ ଚାଷ ବାସର ସଂପର୍କ କେମିତି ସେ ସଂପର୍କରେ ଆଲୋଚନା ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଓଡ଼ିଆମାନେ ଓଡ଼ିଶାର ସ୍ମୃତିଚାରଣ କରିବା ସହିତ ନିଜ ମାତୃଭୂମିର ମହାନତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ମାଲେସିଆ ଓଡ଼ିଆ  ସଂଗଠନ ପକ୍ଷରୁ ୟଙ୍ଗ ଆଚିଭର୍ସ  ଏବଂ ଉତ୍କଳ କ୍ରିକେଟ୍ ଟିମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ପ୍ରଣତି ମିଶ୍ର।

ସମ୍ବନ୍ଧିତ ଖବର