ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାର ଯାଞ୍ଚ ଆରମ୍ଭ ହେବା ଦିନ ଠାରୁ ନୂଆନୂଆ ସୂଚନା ସାମ୍ନାକୁ ଆସୁଛି। ରାଜାଙ୍କ ହତ୍ୟା ପରେ ଗତକାଲି ପୁଲିସ ସୋନମଙ୍କୁ ଇନ୍ଦୋରରେ ଲୁଚିବା ପାଇଁ ଘର ଦେଇଥିବା ପ୍ରପର୍ଟି ଡିଲରଙ୍କୁ ଗିରଫ କରିଛି।
ଏହି ମାମଲାର ତଦନ୍ତ ସମୟରେ ସୋନମଙ୍କ ଘନିଷ୍ଠ ସାଙ୍ଗଙ୍କ ନାମ ବି ସାମ୍ନାକୁ ଆସିଥିଲା। ଯିଏକି ଏହି ହତ୍ୟା ଘଟଣାରେ ସାମିଲ ଥାଇ ପାରନ୍ତି ବୋଲି ସୋନମଙ୍କ ଭାଇ ସନ୍ଦେହ କରିଥିଲେ। ଏହାପରେ ସୋନମ ସମଲିଙ୍ଗୀ ଥିବା ନେଇ ଏକ ଖବର ଚର୍ଚ୍ଚାର ପରିସରକୁ ଆସିଥିଲା।
ସୋନମଙ୍କ ଭାଇ ଗୋବିନ୍ଦ ଭଉଣୀ ସମଲିଙ୍ଗୀ ଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏସବୁ ଗୁଜବ ଏବଂ ଭୁଲ କଥା। ଏଭଳି ସମୟରେ ଲୋକମାନେ ଏପରି କଥା ପ୍ରସାର କରିବା ଠାରୁ ଦୂରେଇ ରହିବା ଉଚିତ। ମୋର ଅନୁରୋଧ ଏଭଳି ଏକ ସମ୍ଭେଦନଶୀଳ ଘଟଣାକୁ ନେଇ ମନଗଢ଼ା କାହାଣୀ ଗଢ଼ନ୍ତୁ ନାହିଁ। ଯଦି ଏପରି କିଛି ଆପଣଙ୍କ ପରିବାର ସହିତ ଘଟିଥାଆନ୍ତା ତେବେ କ’ଣ ଏମିତି କରିଥାଆନ୍ତେ ଥରେ ନିଜ ମନକୁ ପଚାରି ବୁଝନ୍ତୁ।
ଏବେ ରାଜା ହତ୍ୟାର ପ୍ରକୃତ କାରଣ କ’ଣ ଆମକୁ ତାହା ଜାଣିବାର ଅଛି। ସତ୍ୟ ବାହାରକୁ ଆସିବା ଉଚିତ । ତଦନ୍ତକୁ ଭୁଲ ଦିଗରେ ନିଆଯିବା ଉଚିତ୍ ନୁହେଁ। ପୁଲିସ ରାଜାଙ୍କ ହତ୍ୟା ମାମଲାର ତଦନ୍ତ କରୁଛି। ଆମେ ଦାବି କରିଛୁ ଯେ ସମସ୍ତ ଅଭିଯୁକ୍ତଙ୍କୁ କଠୋରତମ ଦଣ୍ଡ ଦିଆଯାଉ।
ରାଜାଙ୍କ ପରିବାର ନାର୍କୋ ଟେଷ୍ଟ ପାଇଁ ଦାବି କରୁଛନ୍ତି । ମୁଁ ବି ଏହାକୁ ସମର୍ଥନ କରୁଛି। ଇତିମଧ୍ୟରେ ଅଭିଯୁକ୍ତମାନେ ମଧ୍ୟ ଅପରାଧ ସ୍ୱୀକାର କରିଛନ୍ତି, ତେବେ ଏବେ ସେମାନଙ୍କୁ ସିଧାସଳଖ ଦଣ୍ଡ ଦିଆଯିବା ଉଚିତ।