ଇନ୍ଦୋର: ଇନ୍ଦୋରରୁ ମେଘାଳୟ ହନିମୁନ୍ ପାଇଁ ଯାଇଥିବା ଦମ୍ପତି ନିଖୋଜ ହେବା ଘଟଣାର ନୂଆ ମୋଡ ନେଇଛି । ମେଘାଳୟ ଯିବା ବାହାନାରେ ସ୍ତ୍ରୀ ସୋନମ୍ ରଘୁବଂଶୀ ସ୍ବାମୀ ରାଜା ରଘୁବଂଶୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି।
ସୋନମ ରଘୁବଂଶୀଙ୍କ ଏକ ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଭିଡିଓରେ ପ୍ରଥମେ ସୋନମ ତାଙ୍କ ସ୍ୱାମୀ ରାଜାଙ୍କ ସହ ଏକ ସ୍କୁଟି ବୁକ୍ କରିବାକୁ ଯାଉଥିବା ଦେଖିବାକୁ ମିଳୁଛି। ଯେତେବେଳେ ରାଜା ସ୍କୁଟିରେ ବସି ତାଙ୍କ ସ୍ତ୍ରୀ ସୋମନଙ୍କୁ ହେଲମେଟ୍ ଧରିବାକୁ କହିଥିଲେ, ଠିକ ଏହି ସମୟରେ ସୋନମ ସ୍ବାମୀଙ୍କୁ ଲୁଚାଇ ମୋବାଇଲ୍ ଫୋନ୍ରେ ଦ୍ରୁତ ଗତିରେ କିଛି ଟାଇପ୍ କରୁଥିବାର ନଜର ଆସୁଛି।
ଭିଡିଓ ଦେଖିବା ପରେ, ସୋନମ କୌଣସି ବ୍ୟକ୍ତିଙ୍କୁ ଗୁପ୍ତ ବାର୍ତ୍ତା ପଠାଇଥିବା ନେଇ ସନ୍ଦେହ ଉପୁଜୁଛି । ଯାହା ସେ ତାଙ୍କ ସ୍ବାମୀଙ୍କୁ ଜଣାଇବାକୁ ଚାହିଁ ନଥିଲେ।
ଖବର ଲେଖାହେଲା ପର୍ଯ୍ୟନ୍ତ ବି ଏହି ମାମଲା ରହସ୍ୟରେ ରହିଛି। ପ୍ରାୟ ୧୭ ଦିନ ପୂର୍ବରୁ ସିଲଂରେ ରାଜା ରଘୁବଂଶୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା, ଏବଂ ସେବେଠାରୁ ଏମପି ଏବଂ ମେଘାଳୟ ପୁଲିସ ଏହି ମାମଲାର ତଦନ୍ତରେ ଲାଗି ପଡ଼ିଛନ୍ତି।
ଦୀର୍ଘ ୧୭ ଦିନ ପରେ, ଗାଜିପୁରରେ ସୋନମଙ୍କ ହଠାତ୍ ଉପସ୍ଥିତ ହେବା ଏବଂ ସେ ନିଜେ ପରିବାର ସହିତ ଯୋଗାଯୋଗ କରିବା ତଦନ୍ତକାରୀ ସଂସ୍ଥାଗୁଡ଼ିକ ସମ୍ମୁଖରେ ଅନେକ ନୂଆ ପ୍ରଶ୍ନ ଉଠାଇଛି। ଏପଟେ ସୋନମଙ୍କ ବାପା ସମଗ୍ର ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।