ନୂଆଦିଲ୍ଲୀ: ପରକୀୟା ପ୍ରୀତି ପାଇଁ ସ୍ବାମୀକୁ ମାରିଲା ସ୍ତ୍ରୀ । ଇନ୍ଦୋରରେ ବାହାଘର, ମେଘାଳୟରେ ହତ୍ୟାକାଣ୍ଡ । ହନିମୁନ୍ ପାଲଟିଲା ହରର । ମେଘାଳୟ ମର୍ଡର କେସ୍ ଏବେ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଦୀର୍ଘ ୧୭ ଦିନ ପରେ ମେଘାଳୟ ରାଜା ରଘୁବଂଶୀ ନିଖୋଜ ଓ ହତ୍ୟା ମାମଲା ଉପରୁ ପରଦା ଉଠିଛି । ପରକୀୟା ପ୍ରୀତିର କରୁଣ କାହାଣୀର ନୂଆ ମାମଲା ସାମ୍ନାକୁ ଆସିଛି । ବୟଫ୍ରେଣ୍ଡ ରାଜ୍‌ ପାଇଁ ସ୍ବାମୀ ରାଜାଙ୍କୁ ହତ୍ୟାର ଷଡ଼ଯନ୍ତ୍ର କରିଥିଲା ସ୍ତ୍ରୀ ସୋନମ । 

Advertisment

ସ୍ବାମୀ ରାଜାଙ୍କୁ କାହିଁକି ମାରିଲା ସୋନମ୍ ? କାହା ସହ ମିଶି ମାରିଲା ? କେମିତି ରଚିଥିଲା ହତ୍ୟା ଷଡଯନ୍ତ୍ର ? ଗିରଫ ପରେ ଏନେଇ ଟିକିନିକି ସବୁ କଥା ପୋଲିସ ଆଗରେ ଅଭିଯୁକ୍ତ କହିଥିବା ବେଳେ ଜାଣନ୍ତୁ ବିବାହରୁ ହତ୍ୟାକାଣ୍ଡର ପୂରା ଘଟଣାକ୍ରମ...

୧୧ ମେ’ ୨୦୨୫
ଇନ୍ଦୋରର ପ୍ଲାଏଉଡ୍‌ ବ୍ୟବସାୟୀଙ୍କ ଝିଅ ସହ ବିବାହ କରିଥିଲେ ରାଜା ରଘୁବଂଶୀ । ମେ ୧୧ରେ ସୋନମ୍‌ ଓ ରାଜାଙ୍କ ଆରେଞ୍ଜ ମ୍ୟାରେଜ ହୋଇଥିଲା । 

୨୦ ମେ’ ୨୦୨୫
ମେ ୨୦ରେ ହନିମୁନ୍‌ ପାଇଁ ମେଘାଳୟ ଯାଇଥିଲେ । ପ୍ରଥମେ କାଶ୍ମୀର ପ୍ଲାନିଂ ଥିଲା ମାତ୍ର ପରେ ସୋନମଙ୍କ ଯୋଜନା ଅନୁସାରେ ମେଘାଳୟ ଯାଇଥିଲେ ନବ ଦମ୍ପତ୍ତି । ୨୦ ତାରିଖରେ ସେମାନେ କାମାକ୍ଷା ମନ୍ଦିର ଦର୍ଶନ କରି ସିଲଙ୍ଗ ଅଭିମୁଖେ ଯାତ୍ରା କରିଥିଲେ ।

୨୨ ମେ’ ୨୦୨୫
ସେମାନେ ସିଲଙ୍ଗରେ ପହଞ୍ଚିବା ପରେ ଏକ ହୋଟେଲରେ ରହିବା ସହ ସ୍କୁଟି ନେଇ ବୁଲିବାକୁ ବାହାରି ଯାଇଥିଲେ ।

୨୩ ମେ’ ୨୦୨୫
ଗାଁରେ ଥିବା ସେହି ହୋଟେଲରୁ ପୁଣି ସେମାନେ ସକାଳେ ସକାଳେ ଡବଲ ଡେକର ଝରଣା ବୁଲିବାକୁ ଯାଇଥିଲେ । ଯେଉଁଠି ସୋନମ ଶେଷ ଥର ପାଇଁ ତାଙ୍କ ଶାଶୁଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ପ୍ଲାନ ବିଷୟରେ କହିବା ସହ ସେ ସ୍ବାମୀଙ୍କ ପାଇଁ ଉପବାସ ରଖିଥିବା କଥା କହିଥିଲେ । ତାପରେ ଦୁହିଁଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା । ସେହିଦିନ ଗାଁର ମୁଖିଆ ପୋଲିସକୁ ଏକ ସ୍କୁଟି ବାବଦରେ କହିଥିଲେ ଯେଉଁଥିଲେ ଚାବି ଲାଗିଥିଲା । ମେ ୨୩ରେ ଉଭୟ ନିଖୋଜ ହୋଇଥିବା ଖବର ଆସିଥିଲା । ସୋନମ୍‌ ନିଖୋଜ ଥିବା ସହ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରିବାର ଲୋକ ଅପହରଣ ମାମଲା ରୁଜୁ କରିଥିଲେ ।

୨୪ ମେ’ ୨୦୨୫
ଫୋନ ବନ୍ଦ ଥିବାରୁ ରାଜାଙ୍କ ପରିବାର ଲୋକେ ବ୍ୟସ୍ତ ହୋଇପଡିଲେ । ପୂର୍ବରୁ ସୋନମ ଦେଇଥିବା ଠିକଣାରେ ରାଜାଙ୍କ ଭାଇ ଯାଇ ପହଞ୍ଚିବା ସହ ପୋଲିସକୁ ଏକ ଅଭିଯୋଗ ଦେଲେ । ଏବଂ ସ୍କୁଟିର ଲୋକେସନ ଜଣାପଡିଲା ।

ଜୁନ୍‌ ୨ 
ଜୁନ୍‌ ୨ରେ ଏକ ଖାଇ ନିକଟରୁ ରାଜାଙ୍କ ଗଳିତ ମୃତଦେହ ମିଳିଥିଲା 

ଜୁନ୍ ୩
ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡିଥିଲା ରାଜାଙ୍କୁ ହତ୍ୟା କରାଯାଇଛି । ରାଜାଙ୍କୁ ଯେଉଁ ମାରଣାସ୍ତ୍ରରେ ହତ୍ୟା କରାଯାଇଛି ତାହା ଗଛ କାଟିବା ପାଇଁ ବ୍ୟବହାର ହୁଏ । 

ଜୁନ୍ ୯
ସୋନମଙ୍କୁ ୟୁପି ଗାଜିପୁରର ଏକ ହୋଟେଲରୁ ରାତି ୨ଟା ବେଳେ ଗିରଫ କରାଯାଇଛି । ତାସହ ସୋନମଙ୍କ ପ୍ରେମିକ ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।