ଆର୍ଥିକ କଟକଣା ବି ଏକ ଗଣ ସଂହାରକାରୀ ଅସ୍ତ୍ର, ତାହାର ପ୍ରୟୋଗ ଆମକୁ ତଳିତଳାନ୍ତ କରିଦେବ : ରଘୁରାମ ରାଜନ୍

ନୂଆଦିଲ୍ଲୀ : ୟୁକ୍ରେନ୍ ଉପରେ ଆକ୍ରମଣ କାରଣରୁ ରୁଷ ଉପରେ ଲଗାଯାଇଥିବା କଠୋର ଆର୍ଥିକ କଟକଣାକୁ ଗଣ ସଂହାରକାରୀ ଅସ୍ତ୍ର ସହ ତୁଳନା କରିଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସେ କହିଛନ୍ତି ଯେ ସାମରିକ ଗଣ ସଂହାରକାରୀ ଅସ୍ତ୍ର ପରି ଅର୍ଥନୈତିକ ଗଣ ସଂହାରକାରୀ ଅସ୍ତ୍ର ଦୋଷୀ ଓ ନିରୀହ ନିର୍ବିଶେଷରେ ସମସ୍ତଙ୍କୁ ଧ୍ବଂସ କରିଥାଏ ।

ଗତ ସପ୍ତାହରେ ପ୍ରକାଶିତ ଏକ ପ୍ରବନ୍ଧରେ ରାଜନ ଲେଖିଛନ୍ତି ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବିରୋଧ କରାଯିବା ଉଚିତ । କିନ୍ତୁ ତା’ବିରୋଧରେ ପ୍ରୟୋଗ କରାଯାଇଥିବା ଆର୍ଥିକ ଅସ୍ତ୍ରଗୁଡ଼ିକର ବିପଦକୁ ହେୟ ମନେକରାଯିବା ଉଚିତ ନୁହେଁ । କାରଣ ସାମରିକ ଗଣ ସଂହାରକାରୀ ଅସ୍ତ୍ର ପରି ଅର୍ଥନୈତିକ ଗଣ ସଂହାରକାରୀ ଅସ୍ତ୍ର ଦୋଷୀ ଓ ନିରୀହ ନିର୍ବିଶେଷରେ ସମସ୍ତଙ୍କୁ ଧ୍ବଂସ କରିଥାଏ । ତେବେ ସାମରିକ ଗଣ ସଂହାରକାରୀ ଅସ୍ତ୍ରଗୁଡିକ ପରି ଆର୍ଥିକ ଅସ୍ତ୍ର କୋଠାବାଡ଼ି, ସହର ଆଦି ଧ୍ବଂସ ନ କଲେ ବି ଅର୍ଥନୀତି, ଆର୍ଥିକ ପ୍ରତିଷ୍ଠାନ, କମ୍ପାନି ଆଦିକୁ ନଷ୍ଟ କରିଦିଏ । ଏହା ଦ୍ବାରା ଲୋକମାନେ ଜୀବିକା ହରାଇବା ସହ ଜୀବନ ବି ହରାନ୍ତି । ପୁଣି ଆର୍ଥିକ ଅସ୍ତ୍ରଗୁଡ଼ିକୁ ବ୍ୟାପକ ଭାବେ ପ୍ରୟୋଗ କଲେ ଜଗତିକରଣକୁ ପଛକୁ ନେଇଯାଏ ।

ଆମେରିକା ଓ ପାଶ୍ଚାତ୍ୟ ଦେଶମାନଙ୍କ ତରଫରୁ ରୁଷ ଉପରେ ଆର୍ଥିକ କଟକଣା ଲଗାଯିବା ପରେ ଏହାର ମୁଦ୍ରା ରୁବଲର ପ୍ରାୟ ୫୦ ପ୍ରତିଶତ ଅବମୂଲ୍ୟାଙ୍କନ ହୋଇଛି ।

ସମ୍ବନ୍ଧିତ ଖବର