ଚେନ୍ନାଇ: ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ । ଆଉ ତାମିଲନାଡୁରେ ବିଜେପିର ପ୍ରସ୍ତୁତି ବାବଦରେ ସମୀକ୍ଷା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଚେନ୍ନାଇରେ ପହଞ୍ଚିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ଏଆଇଡିଏମକେ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ | ତେବେ ତାମିଲନାଡୁରେ ବିଜେପିର ଚେହେରା କିଏ ହେବ, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | କୁହାଯାଉଛି ଯେ ବିଜେପିର ତାମିଲନାଡୁ ଚେହେରା ସାଉଥ ସୁପରଷ୍ଟାର ରଜନୀକାନ୍ତ ହୋଇପାରନ୍ତି | କାରଣ ଶନିବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ବିଚାରକ ଏସ.ଗୁରୁମୁର୍ତ୍ତୀଙ୍କୁ ଭେଟିଥିଲେ |

Advertisment

ଆଉ ଗୁରୁମୁର୍ତ୍ତୀଙ୍କ ସହ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | କାରଣ ଗୁରୁମୁର୍ତ୍ତୀ ନିକଟରେ ଫିଲ୍ମ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟିଥିଲେ। ସୂଚନାନୁସାରେ, ଅମିତ ଶାହା ଏବଂ ଆରଏସଏସ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ରଜନୀକାନ୍ତଙ୍କ ରାଜନୈତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି। ଅମିତ ଶାହା ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତଙ୍କୁ ଭେଟିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ସୂଚନା ଥାଉ କି ରଜନୀକାନ୍ତ ୨୦୧୭ ମସିହା ଡିସେମ୍ବର ୩୧ରେ ରାଜନୀତିକୁ ଆସିବା ବିଷୟରେ କହିଥିଲେ।

ସେତେବେଳେ ରଜନୀକାନ୍ତ କହିଥିଲେ ଯେ ସଠିକ୍ ସମୟ ଆସିଲେ ସେ ରାଜନୀତିରେ ପ୍ରବେଶ କରିବେ। ଅପରପକ୍ଷେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ରଜନୀକାନ୍ତ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସେ କେବେ ହେଲେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ନାହିଁ | ଏଭଳି ପରିସ୍ଥିତିରେ ଅମିତ ଶାହା ଏବଂ ଏସ୍ ଗୁରୁମୁର୍ତ୍ତୀଙ୍କ ସାକ୍ଷାତ ପରେ ରାଜନୀତିରେ ରଜନୀକାନ୍ତଙ୍କ ଡେବ୍ୟୁ ବିଷୟରେ ଆଲୋଚନା ହେଉଛି।