୧୫ ଦିନ ପରେ ସିଂଗାପୁର ଛାଡ଼ିବାକୁ ଗୋଟାବାୟାଙ୍କୁ ନିର୍ଦ୍ଦେଶ

ସିଂଗାପୁର : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ିଦେଇଥିଲେ ବି ତାଙ୍କର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କୁ କୌଣସି ଦେଶ ଆଶ୍ରୟ ଦେବାକୁ ରାଜି ହେଉନାହାନ୍ତି । ସିଂଗାପୁର ସରକାର ମଧ୍ୟ ତାଙ୍କୁ କେବଳ ୧୫ ଦିନ ପାଇଁ ରହିବାକୁ ଅନୁମତି ଦେଇଛନ୍ତି । ତାପରେ ସେ ସିଂଗାପୁର ଛାଡ଼ିବାକୁ ବାଧ୍ୟ । ପୂର୍ବରୁ ସେ ଭାରତରେ ଆଶ୍ରୟ ପାଇଁ ଅନୁମତି ମାଗିଥିଲେ ବି ଭାରତ ସରକାର ସେଥିପାଇଁ ଅନୁମତି ଦେଇନଥିଲେ । ଶ୍ରୀଲଙ୍କା ଲୋକମାନଙ୍କ ବିପକ୍ଷରେ ଯିବାକୁ ଭାରତ ସରକାର ଚାହୁଁନଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି ।
ଗୋଟାବାୟା ଗତ ବୁଧବାରଦିନ ଶ୍ରୀଲଙ୍କା ଛାଡ଼ି ମାଳଦ୍ବୀପ ପଳାୟନ କରିଥିଲେ । ସେଠାରେ ଗୋଟିଏ ଦିନ ବିତାଇବା ପରେ ସେ ସିଂଗାପୁରକୁ ପଳାୟନ କରିଥିଲେ । ଗୋଟାବାୟାଙ୍କ ପଳାୟନ ଲାଗି ଭାରତ ସହାୟତା କରିଥିବା ପୂର୍ବରୁ ଗୁଜବ ଉଠିଥିଲେ ବି ଭାରତ ସରକାର ତାହାକୁ ଖଣ୍ଡନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି । ଏହି ଦେଶ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏହାଫଳରେ ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରୁଛନ୍ତି ।

ସମ୍ବନ୍ଧିତ ଖବର