ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ପୁଲିସ ସୋନମଙ୍କ ସମେତ ଗିରଫ କରିଥିବା ୫ଜଣ ଅଭିଯୁକ୍ତଙ୍କୁ ନେଇ ସିଲଂରେ  ପହଞ୍ଚିଛି। ମେଘାଳୟ ପୁଲିସର ଯାଞ୍ଚ ପ୍ରକ୍ରିୟା ଯେତେ ଆଗକୁ ବଢ଼ୁଛି ରାଜା ରଘୁବଂଶୀ ହତ୍ୟା ସହିତ ଜଡ଼ିତ ସେତିକି ତଥ୍ୟା ସାମ୍ନାକୁ ଆସିଛି। 

Advertisment

ପୁଲିସର ପଚରାଉଚରା ସମୟରେ ସୋନମ ସ୍ୱୀକାର କରିଛନ୍ତି ଯେ ସେ ରାଜାଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ନଥିଲେ ବୋଲି ବିବାହ ପୂର୍ବରୁ ଘରେ  ଜଣାଇଥିଲେ। ଏମିତି କି ବିବାହ କଲେ ପରିଣାମ ଭଲହେବ ନାହିଁ ବୋଲି ବି ସେ ତାଙ୍କ ମାଆଙ୍କୁ ଧମକ ଦେଇଥିଲେ। କିନ୍ତୁ ମା’ ଏସବୁ କଥାକୁ ନିଜ ମନ ଭିତରେ ଚାପି ଧରି ଝିଅର ବିବାହ ରାଜା୍ ରଘୁବଂଶୀଙ୍କ ସହିତ କରାଇ ଦେଇଥିଲେ।

ରାଜାଙ୍କ ମାଆ ପୁଅର ମୃତ୍ୟୁକୁ ନେଇ କହିଛନ୍ତି, ‘ ମୋ ପୁଅର ହତ୍ୟା ଘଟଣାରେ ଯେଉଁମାନେ ବି ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ କଠୋରତମ ଦଣ୍ଡ ଦିଆଯାଉ। ଯେତେ ‌ଚେଷ୍ଟା କଲେ ବି ମୋ କୋଳକୁ ତ ଆଉ ରାଜା ଫେରି ଆସିବ ନାହିଁ। ମଲା ଯାଏଁ ମୋ କୋଳ ଖାଲି ରହିବ। ଏକ ମା’ର ଦାବି ମୋ ପୁଅର ହତ୍ୟାକାରୀଙ୍କୁ ନିଶ୍ଚୟ ଦଣ୍ଡ ମିଳୁ।’ 


ସେହିପରି ରାଜାଙ୍କ ହତ୍ୟାକାରୀ ତଥା ସୋନମଙ୍କ ପ୍ରେମିକ ରାଜଙ୍କ ମାଆ ଏହି ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ରାଜ ସୋନମଙ୍କୁ କେବେ ଭଲ ପାଇପାରିବ ନାହିଁ, ସୋନମ ରାଜଙ୍କୁ କାହିଁକି ପସନ୍ଦ କରିବ। ମୋ ପୁଅ କେବେ ସୋନମଙ୍କ ସହ କଥା ହୋଇନାହିଁ।

ଯଦି ବି ସେ କଥା ହୋଇଥାଆନ୍ତା ଆମେ ତ ନିଶ୍ଚୟ ଜାଣିଥାଆନ୍ତୁ। କେହି ନହେଲେ ମୁଁ ତ ଜାଣିଥାଆନ୍ତି। ମୁଁ ଆଜି ପର୍ଯ୍ୟନ୍ତ ସୋନମଙ୍କୁ କେବେ ଦେଖିନାହିଁ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ଜାଣିନାହିଁ। ମୁଁ ଜାଣିଛି ମୋ ପୁଅ ଏ କାମ କରିନାହିଁ। ଆମ ଘରେ ମୋ ପୁଅ ଓ ମୋ ଛଡ଼ା କେହି ନାହାନ୍ତି। ଆଜି ଯଦି କେହି ଥାଆନ୍ତେ ସେମାନେ ଏଭଳି ପରିସ୍ଥିତିରେ ଛିଡ଼ା ହୋଇଥାଆନ୍ତେ ଓ ମୋ ପୁଅକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିଥାଆନ୍ତେ। ଏବେ ପରିସ୍ଥିତି ଯେଭଳି ହେଲାଣି ଥାନା, କୋର୍ଟ ଯିବାକୁ ମୋ ପାଖରେ ଶକ୍ତି କି ଅର୍ଥବଳ ନାହିଁ। ଯାହା କରିବେ ସେ ଇଶ୍ବର କରିବେ।’