ରାଜସ୍ଥାନ ବିଧାନସଭା ନିର୍ବାଚନ, ରାଜେ-ମାନବେନ୍ଦ୍ର ଲଢ଼େଇ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏଥର କଡ଼ା ମୁକାବିଲା ଦେଖିବାକୁ ମିଳିବ। ରାଜ୍ୟର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରା‌ଜେଙ୍କୁ ଟକ୍କର ଦେବେ ବିଜେପିର ପୂର୍ବତନ ବରିଷ୍ଠ ନେତା ଯଶବନ୍ତ ସିଂହଙ୍କ ପୁଅ ତଥା କଂଗ୍ରେସ ନେତା ମାନବେନ୍ଦ୍ର ସିଂହ। ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ମାନବେନ୍ଦ୍ର ଇତିମଧ୍ୟରେ ପୁନର୍ବାର କଂଗ୍ରେସ ସହ ହାତ ମିଳାଇବା ପରେ ତାଙ୍କୁ ରାଜେଙ୍କ ବିରୋଧରେ କଂଗ୍ରେସ ହାଇକମାଣ୍ଡ ଟିକଟ ଦେଇଛନ୍ତି। ତେଣୁ ନିର୍ବାଚନ ‌ତାରିଖ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତି ‌ସେତେ ସରଗରମ ହେବାରେ ଲାଗିଛି। ଯେଉଁ ଆସନ ପାଇଁ ମାନବେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯାଇଛି ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରାଜସ୍ଥାନର ୨୦୦ ସଦସ୍ୟବିଶିଷ୍ଟ ବିଧାନସଭାକୁ ନିଜ କବ୍‌ଜାକୁ ନେଇ ପାଇଁ କଂଗ୍ରେସ ଏହାର ରଣନୀତି ପ୍ରସ୍ତୁତ କରିଛି। ଆଜି ବସୁନ୍ଧରା କହିଛନ୍ତି ଯେ ତାଙ୍କ ବିରୋଧରେ କଂଗ୍ରେସ ଆଉ କୌଣସି ନେତାଙ୍କୁ ନପାଇ ମାନବେନ୍ଦ୍ରଙ୍କୁ ଛିଡ଼ା କରାଇଛି। ରାଜ୍ୟର ଝାଲାୱାଡ଼ ଜିଲ୍ଲାରେ ଥିବା ଝାଲରାପାଟନ ଆସନରୁ ସେ ଲଢ଼ିବାକୁ ଯାଉଛନ୍ତି। ଏହି ଆସନରେ ରାଜେଙ୍କର ମଧ୍ୟ ଯଥେଷ୍ଟ ପ୍ରଭାବ ରହିଛି। ୨୦୧୩ରେ ମୁଖ୍ୟମନ୍ତ୍ରୀ ହୋଇଥିବା ରାଜେଙ୍କ ଲୋକପ୍ରିୟତା ତାଙ୍କ ନିର୍ବାଚନମଣ୍ଡଳୀରେ ବେଶ୍‌ ଭଲ ରହିଛି। ତଥାପି ମାନବେନ୍ଦ୍ରଙ୍କ ପଲା ଭାରି ରହିପାରେ ବୋଲି କୁହାଯାଉଛି। ୫ ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଥିବା ବିଜେପି ପୁଣି କ୍ଷମତା ଦଖଲ ପାଇଁ ସବୁ ପ୍ରକାର ଉଦ୍ୟମ କରୁଥିବା ଜଣାପଡ଼ିଛି। ‌ଉଲ୍ଲେଖଯୋଗ୍ୟ, ୨୦୧୩ ନିର୍ବାଚନରେ ବିଜେପି ରାଜ୍ୟର ୨୦୦ ବିଧାନସଭା ଆସନ ମଧ୍ୟରୁ ୧୬୩ରେ ଜିତି ରେକର୍ଡ କରିଥିଲା। ଆଗାମୀ ଡିସେମ୍ବର ୭ ତାରିଖରେ ନିର୍ବାଚନ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର