ରାଜସ୍ଥାନରେ ଅପରାଧୀଙ୍କ ତୁମୁଳକାଣ୍ଡ, ଥାନା ଭିତରେ ଗୁଳି ଫୁଟାଇ ଅପରାଧୀକୁ ଖସାଇଲେ

ଜୟପୁର: ରାଜସ୍ଥାନର ଅଲୱର ଜିଲ୍ଲାରେ ଆଜି ଅପରାଧୀ ତୁମୁଳକାଣ୍ଡ ଘଟାଇଛନ୍ତି। ଫିଲ୍ମ ଷ୍ଟାଇଲ୍‌ରେ ପ୍ରାୟ ୧୫ରୁ ୨୦ ଜଣ ଅପରାଧୀ ବେହରୋର୍‌ ଥାନା ଭିତରକୁ ପଶି ଏକେ ୪୭ ବନ୍ଧୁକରୁ ପ୍ରାୟ ୪୦ ରାଉଣ୍ଡ୍‌ ଗୁଳି ଫୁଟାଇ ଏକ ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀକୁ ଖସାଇ ନେଇଛନ୍ତି। ପୁଲିସ କିଛି କରିବା ପୂର୍ବରୁ ଅପରାଧୀମାନେ ହରିୟାଣାର ମୋଷ୍ଟ୍‌ ୱାଣ୍ଟେଡ୍‌ କ୍ରିମିନାଲ୍‌ ତଥା ୫ ଜଣଙ୍କ ହତ୍ୟାକାରୀ ବିକ୍ରମ ଗୁର୍ଜରକୁ ଖସାଇ ନେଇଥି‌ଲେ। ଅପରାଧୀମାନେ ଥାନା ଛାଡ଼ି ଯାଉଥିବା ସମୟରେ ବାଟରେ ସେମାନଙ୍କ ଗାଡ଼ି ବ୍ରେକ୍‌ ଡାଉନ୍‌ ହୋଇଗଲା। ଏହାପରେ ସେମାନେ ରାସ୍ତାକଡ଼ରେ ପାର୍କିଂ ‌ହୋଇଥିବା ଏକ ପିକ୍‌ ଅପ୍‌ ଭ୍ୟାନ୍‌ରେ କିଛି ବାଟ ଯାଇଥିଲେ ଏବଂ ପରେ ପୁଣି କିଛି ବାଟ ଯିବାପରେ ବନ୍ଧୁକ ମୁନ‌ରେ ଏକ ସ୍କୋର୍ପିଓ ଲୁଟି ନେଇ ହରିୟାଣା ପଳାଇଥିଲେ ବୋଲି ବେହରୋର୍‌ ଏସ୍‌ପି ଅମନଦୀପ କପୁର କହିଛନ୍ତି।

ସୂଚନାନୁଯାୟୀ ପୁଲିସ ଏବଂ ଅପରାଧୀମାନଙ୍କ ମଧ୍ୟରେ ଆଜି ଜୋରଦାର ସଂଘର୍ଷ ହୋଇଥିଲା। କିନ୍ତୁ ଅପରାଧୀମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ରାଜସ୍ଥାନ ଡିଜିପି ଭୁ‌ପେନ୍ଦ୍ର ଯାଦବ ଅପରାଧୀଙ୍କୁ ଧରିବାପାଇଁ ଏକ ଟିମ୍‌ ପଠାଇଛନ୍ତି। ହତ୍ୟାକାରୀ ଗୁରଜର ହରିୟାଣାର ଡକ୍ଟର କୁଲଦୀପ୍‌ ଗ୍ୟାଙ୍ଗ୍‌ ସହ ସଂଶ୍ଳିଷ୍ଟ। ସେ ଜଣେ କନେଷ୍ଟବଳକୁ ହତ୍ୟା କରିଥିବା ବେଳେ ତା’ ବିରୋଧରେ ୫ଟି ହତ୍ୟା ମାମଲା ଥିଲା। ବେହରୋର୍‌ ପୁଲିସ ଗତ ରାତିରେ ଗୁର୍ଜରକୁ ଗିରଫ କରିଥିବା ବେଳେ ଆଜି ସକା‌ଳେ ତାକୁ ଅପରାଧୀମାନେ ଖସାଇ ନେଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉକ୍ତ ଘଟଣା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ର ସମୀକ୍ଷା କରିଛନ୍ତି ଏବଂ ଉକ୍ତ ଘଟଣାରେ ପୁଲିସ ଆଇଜି ଏବଂ ଡିଜିପିଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ସମ୍ବନ୍ଧିତ ଖବର