ରାଜସ୍ଥାନ ରାଜନୀତି, ସର୍ତ୍ତ ମାନିଲେ ଅଧିବେଶନ ଅନୁମତି ଦେବେ ରାଜ୍ୟପାଳ

ଜୟପୁର: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ବିଧାନସଭା ଅଧିବେଶନ ଡକାଯିବାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ରାଜ୍ୟପାଳ କଲ୍‌ରାଜ ମିଶ୍ରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବିଧାନସଭା ଅଧିବେଶନ ଡାକିବା ପାଇଁ ଗେହଲଟ୍‌ କ୍ୟାବିନେଟ୍‌ର ୨ଟି ପ୍ରସ୍ତାବକୁ ରାଜ୍ୟପାଳ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ଆଜି ସରକାରଙ୍କ ପ୍ରସ୍ତାବ ଗ୍ରହଣ ପାଇଁ ୩ଟି ସର୍ତ୍ତ ରଖିଛନ୍ତି। କରେନା ମହାମାରୀ ସମୟ‌‌ରେ ଅଧିବେଶନ ଡାକିବା ପାଇଁ ସରକାର ୨୧ ଦିନିଆ ନୋଟିସ୍‌ ଦିଅନ୍ତୁ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କର ଅନ୍ୟତମ ସର୍ତ୍ତ ହେଲା ଯଦି ବିଧାନସଭାରେ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ତାହେଲେ ଏହାର ସିଧା ପ୍ରସାରଣ କିମ୍ବା ଭିଡିଓ ରେକର୍ଡିଂ କରାଯିବା ଉଚିତ୍‌। ରାଜ୍ୟପାଳଙ୍କ ଆଉ ଏକ ସର୍ତ୍ତ ହେଲା ବିଧାନସଭାରେ କରୋନାବେଳେ ଅଧିବେଶନ ସମୟରେ ସାମାଜିକ ଦୂରତା ରକ୍ଷା କରିବା। ରାଜ୍ୟପାଳ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି, ଆପଣ ଗୃହରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବାକୁ ଚାହୁଛନ୍ତି କି ? ଯଦି ଚାହୁଛନ୍ତି ତାହେଲେ ଅଧିବେଶନ ଡାକିବାପାଇଁ କ୍ୟାବିନେଟ୍‌ରେ ଯେଉଁ ପ୍ରସ୍ତାବ ପଠାଯାଇଥିଲା ସେଥିରେ ଏହା କାହିଁକି ଉଲ୍ଲେଖ‌ କରିନଥିଲେ। ପ୍ରସ୍ତାବରେ ଏହା ଉଲ୍ଲେଖ ନକରି ଆପଣ ଗଣମାଧ୍ୟମକୁ ଅନ୍ୟ କଥା କହୁଥିଲେ କାହିଁକି ବୋଲି ରାଜ୍ୟପାଳ ପ୍ରଶ୍ନ କରିଛନ୍ତି। ରାଜ୍ୟପାଳ ଏବଂ ରାଜଭବନକୁ ସୁରକ୍ଷା ଦେଇପାରୁନଥିବା ସରକାର କେଉଁ ପରିସ୍ଥିତିରେ ଓ କାହିଁକି ବିଧାନସଭା ଅଧିବେଶନ ଡାକିବାକୁ ଚାହୁଛନ୍ତି ବୋଲି ସେ ଗେହଲଟ୍‌ଙ୍କୁ ପଚାରିଥିଲେ। କରୋନା ମହାମାରୀ ସମୟରେ କମ୍‌ ସମୟ ଭିତରେ ଅଧିବେଶନ ଡାକିବା ତାଙ୍କ ପାଇଁ ସମ୍ଭବ ନଥିବାରୁ ସେ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ ବୋଲି ରାଜ୍ୟପାଳ କହିଛନ୍ତି। ତେବେ ରାଜସ୍ଥାନ ମାମଲାରେ ରାଷ୍ଟ୍ରପତି ହସ୍ତକ୍ଷେପ କରି ବିଧାନସଭା ଅଧିବେଶନ ଡାକିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ନେତା ପି. ଚିଦମ୍ବରମ୍ ମତ ଦେଇଛନ୍ତି।

ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ବାଚସ୍ପତି
ନୂଆଦିଲ୍ଲୀ: ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ଆଜି ବାଚସ୍ପତି ପ୍ରତ୍ୟ‌ାହାର କରିନେଇଛନ୍ତି। ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବିଧାନସଭା ବାଚସ୍ପତି ସିପି ଯୋଶୀ ଅଯୋଗ୍ୟ ଘୋଷଣା ପାଇଁ ଯେଉଁ ନୋଟିସ୍‌ ଜାରି କରିଥିଲେ ତାହାକୁ ଚ୍ୟାଲେଂଜ କରି ହାଇକୋର୍ଟରେ ଶୁଣାଣି ହୋଇଥିଲା। ହାଇକୋର୍ଟ ବାଚସ୍ପତିଙ୍କ ନୋଟିସ୍‌ ଉପରେ ରୋକ୍‌ ଲଗାଇ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାପାଇଁ କହିବାରୁ ବାଚସ୍ପତି ହାଇକୋର୍ଟ‌୍ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋ‌ର୍ଟ‌୍‌ଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟରେ ମଧ୍ୟ ବାଚସ୍ପତିଙ୍କୁ ପ୍ରଥମ ପର୍ଯ୍ୟାୟ ଶୁଣାଣି‌ରେ ଝଟ୍‌କା ମିଳିଥିଲା ଏବଂ ଆଜି ମାମଲାର ଶୁଣାଣି ଥିଲା। ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ଅନୁମୋଦନ କ୍ରମେ ବାଚସ୍ପତି ଏବାବଦ ମାମଲା ପ୍ରତ୍ୟାହାର କରିନେଇଛନ୍ତି। ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘଭିଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିନଥିଲେ। ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ବର ଉତ୍ତୋଳନ ଅଧିକାରକୁ କିଭଳି ଦବାଇ ଦିଆଯାଇପାରିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ରାଜ୍ୟପାଳଙ୍କ ବ୍ୟବହାର ସମ୍ପର୍କରେ ମୋଦୀଙ୍କୁ ଜଣାଇଛି: ଗେହଲଟ୍‌
ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ରାଜ୍ୟପାଳ କଲ୍‌ରାଜ ମିଶ୍ରଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମୋଦୀଙ୍କୁ ଫୋନ୍‌ କରି ସେ ରାଜ୍ୟପାଳଙ୍କ ବ୍ୟବହାର ସମ୍ପର୍କରେ ସୂଚନା ଦେଇଛନ୍ତି ବୋଲି କହିଛନ୍ତି। ଗେହଲଟ୍‌ କହିଛନ୍ତି, ବାରମ୍ବାର ଅନୁରୋଧ କରିବା ପରେ, ରାଜ୍ୟପାଳଙ୍କ ଲନ୍‌ରେ ଧାରଣା‌ରେ ବସିଥିଲେ ମଧ୍ୟ ରାଜ୍ୟପାଳ ତାଙ୍କ ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଆବେଦନ କରିବେ ଏବଂ ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରିବେ ବୋଲି କହିଛନ୍ତି। ରାଜ୍ୟପାଳ ଗତ କିଛି ଦିନ ତଳେ ଦେଇଥିବା ଏକ ଚିଠିକୁ ଗେହଲଟ୍‌ କଟାକ୍ଷ କରିଛନ୍ତି। ଗେହଲଟ୍‌ କହିଛନ୍ତି ରାଜ୍ୟପାଳଙ୍କ ନିକଟରୁ ସେମାନଙ୍କ ନିକଟକୁ ୬ ପୃଷ୍ଠାର ଏକ ପ୍ରେମ ପତ୍ର ଆସିଥିଲା। ଅନ୍ୟପକ୍ଷେ ରାଜ୍ୟପାଳ ଆଜି ସକା‌ଳେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।

ସମ୍ବନ୍ଧିତ ଖବର