ବାଡମେର: ଏକା ସାଙ୍ଗରେ ଜୀବନ ହାରିଲେ ପରିବାରର ୪ସଦସ୍ୟ। ୨ପିଲାଙ୍କ ସମେତ ଆତ୍ମହତ୍ୟା କଲେ ମାତାପିତା। ରାଜସ୍ଥାନର ବାଡମେର ଜିଲ୍ଲାର ଶିବ ଥାନା ଅଞ୍ଚଳରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଚାରି ଜଣଙ୍କ ମୃତଦେହ ଘରର ପାଣି ଟାଙ୍କିରୁ ମିଳିଛି।

Advertisment

ସୂଚନା ମୁତାବକ, ବୁଧବାର ସକାଳେ ଏହି ଦୁଃଖଦ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପଡ଼ୋଶୀମାନେ ଘରେ ପିଲାମାନଙ୍କର ସାଧାରଣ ଗତିବିଧି ଦେଖି ନଥିଲେ। କିଛି ଅଘଟଣ ଘଟିଥିବା ଅ‌ାଶଙ୍କା କରି ପଡ଼ୋଶୀ ଝରକା ବାଟେ ଘର ଭିତରକୁ ଦେଖିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଚାରି ଜଣଙ୍କ ମୃତଦେହ ଘରର ପାଣି ଟାଙ୍କିରେ ଭାସୁଥିବାର ଦେଖି ଏ ବିଷୟରେ ତୁରନ୍ତ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ ପଡ଼ୋଶୀ।

ଘଟଣାସ୍ଥଳରେ ପହଞ୍ଚି ଶିବ ଥାନା ପୁଲିସ ବହୁ ଚେଷ୍ଟା ପରେ ଚାରୋଟି ମୃତଦେହକୁ ଟାଙ୍କିରୁ ବାହାର କରିଥିଲା। ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ଛୋଟ ପିଲା ଅଛନ୍ତି। ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣା ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏଭଳି ରାତାରାତି ପୂରା ପରିବାର ଜୀବନ ହାରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।