ନୂଆଦିଲ୍ଲୀ: ରାଜସ୍ଥାନର ଝାଲାବାଡ଼ ଜିଲ୍ଲା ସ୍ଥିତ ପିପଲୋଡ଼ ଗ୍ରାମରେ ଶୁକ୍ରବାର ସକାଳେ ଏକ ପ୍ରାଥମିକ ସ୍କୁଲ୍‌ ଛାତ ଭୁଶୁଡ଼ି ପଡ଼ିବା ଫଳରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ୨୯ରୁ ଅଧିକ ଜଣ ଆହତ ହୋଇଛନ୍ତି।  ଆଜି ପିଲାମାନେ ଶ୍ରେଣୀଗୃହ‌ରେ ଥିବାବେଳେ ହଠାତ୍‌ ଛାତ ଭୁଶୁଡ଼ି ପଡ଼ିଥିଲା।  ତୁରନ୍ତ  ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲେ ମଧ୍ୟ   ୭ ଜଣ ଛାତ୍ରଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା।   ଅନ୍ୟ ୨୯ ଜଣ ଆହତ ଅବସ୍ଥାରେ ଏବେ  ଚିକିତ୍ସାଧୀନ ଅଛନ୍ତି।  ମିଳିଥିବା ସୂଚନାନୁଯାୟୀ ଏହି କୋଠାଟି ୨୦ ବର୍ଷ ପୁରୁଣା।  କୋଠାର ଛାତ ପଥର ସ୍ଲାବ୍‌ରେ ନିର୍ମାଣ ହୋଇଥିବାରୁ ଏହା ଅଧିକ ଘାତକ ହୋଇଥିଲା।  ଘଟଣା ଘଟିବା ସମୟରେ ସ୍କୁଲ୍‌ରେ ୩୫ ଜଣ ଛାତ୍ର ଥିଲେ। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।  

Advertisment

କୋଟା ଡିଭିଜନାଲ କମିସନର ରାଜେନ୍ଦ୍ର ସିଂହ ଝାଲାବାଡ଼ ଜିଲ୍ଲା ହସ୍ପିଟାଲରେ ପହଞ୍ଚି ଆହତ ଛାତ୍ରମାନଙ୍କୁ ଭେଟିଛନ୍ତି।  ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ପ୍ରଶାସନର ଅବହେଳା ପାଇଁ ଆଜି ଏଭଳି ସ୍ଥିତି ଉପୁଜିଛି। ସେମାନେ ସ୍କୁଲ୍‌ଟି ବିପଦସଙ୍କୁଳ ସ୍ଥିତିରେ ଥିବା ନେଇ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଅଭିଯୋଗ କରିଛନ୍ତି।  ଝାଲାବାଡ଼ ଜିଲ୍ଲାପାଳ ଅଜୟ ସିଂହ କହିଛନ୍ତି, ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ ଅବସ୍ଥାରେ ଥିବା ସ୍କୁଲ୍‌ର ସୂଚନା ଦେବାପାଇଁ ଶିକ୍ଷା ବିଭାଗକୁ କହିଥିଲେ।  କିନ୍ତୁ ତାଲିକାରେ ଉକ୍ତ ସ୍କୁଲ୍‌ର ନାଁ ନଥିଲା।  

ମିଳିଥିବା ସୂଚନାନୁଯାୟୀ ଆଜି ସ୍କୁଲ୍‌ର ଛାତ ଭୁଶୁଡ଼ିବାର କିଛି ସମୟ ପୂର୍ବରୁ ପ୍ରଥମେ କିଛି ପଥର ଖଣ୍ଡ ଖସିଥିଲା।  ପିଲାମାନେ ଏନେଇ  ଶିକ୍ଷକଙ୍କୁ ଜଣାଇଥିଲେ। ସେ ସମୟରେ ଶିକ୍ଷକମାନେ ଜଳଖିଆ କରୁଥିଲେ ଏବଂ ପିଲାମାନଙ୍କ କଥାକୁ ସେମାନେ କର୍ଣ୍ଣପାତ ନକରି ଓଲଟା ମାଡ଼ ମାରି ଶ୍ରେଣୀଗୃହକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି।  ଏଥିପାଇଁ ସ୍କୁଲ୍‌ର ୫ ଜଣ ଶିକ୍ଷକଙ୍କୁ ଆପରାଧିକ ଅବ‌ହେଳା ପାଇଁ ନିଲମ୍ବନ କରାଯାଇଛି।