ଯୋଧପୁରର ପରିମଳ କର୍ମୀ ତଥା ଦୁଇଟି ପିଲାର ମାଆ ରାଜସ୍ଥାନ ପ୍ରାଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ

ଯୋଧପୁର: ରାଜସ୍ଥାନ ଅନ୍ତର୍ଗତ ଯୋଧପୁରର ପରିମଳ କର୍ମୀ ତଥା ଦୁଇଟି ପିଲାର ମାଆ ଆଶା କଣ୍ଡରା ରାଜସ୍ଥାନ ପ୍ରାଶାସନିକ ସେବା (ଆର୍‌ଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ୪୦ ବର୍ଷୀୟା ଆଶାଙ୍କୁ ଜଣେ ବରିଷ୍ଠ ପ୍ରାଶାସନିକ ପଦବୀରେ ନିଯୁକ୍ତି ମିଳିବ। ଦୁଇସ୍ତରୀୟ ପରୀକ୍ଷା ଦେଇସାରିଥିଲେ ମଧ୍ୟ ମହାମାରୀ ହେତୁ ଫଳ ବାହାରିବା ଲାଗି ଆଶାଙ୍କୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ଆଶା କଣ୍ଡରାଙ୍କ ଜୀବନ ସଂଘର୍ଷମୟ। ତାଙ୍କର ସ୍ବାମୀ ତାଙ୍କୁ ଆଠବର୍ଷ ତଳେ ଦୁଇ ପିଲାଙ୍କ ସହ ପରିତ୍ୟାଗ କରିଥିଲେ।

ନିଜେ ଯୋଧପୁର ପୌର ନିଗମର ଏକ ପରିମଳ କର୍ମୀ ଭାବେ କାମ କରି ସେ ପରିବାର ପ୍ରତିପୋଷଣ କରିଆସୁଥିଲେ। ନିଜ ବାପାମାଆଙ୍କଠାରୁ ସାହାଯ୍ୟ, ସହଯୋଗ ଓ ପ୍ରେରଣା ପାଇ ସେ ଅଧ୍ୟୟନ ଜାରି ରଖିଥିଲେ। ସ୍ନାତକ ଡିଗ୍ରୀ ଶେଷ କରିବା ପରେ ସେ ୨୦୧୮ରେ ରାଜ୍ୟ ପ୍ରାଶାସନିକ ସେବା ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ୨୦୧୯ରେ ଏହାର ମେନ୍ ପରୀକ୍ଷା ହେଲା। କିନ୍ତୁ ୨୦୨୦-୨୧ରେ ମହାମାରୀ ହେତୁ ଆଜିଯାଏ ଫଳ ଘୋଷଣା ବାକି ଥିଲା। ଆଶା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ନିଷ୍ଠାପର ପରିଶ୍ରମ କେବେ ବି ବ୍ୟର୍ଥ ହୁଏ ନାହିଁ। ମୁଁ ଯଦି ପାରିଲି, ଯେ କେହି ଉଦ୍ୟମ କଲେ ପାରିବେ। ‘ଯଦି ଲୋକମାନେ ତୁମ ଉପରକୁ ଟେକା ପକାନ୍ତି, ତେବେ ସେହି ଟେକାଗୁଡ଼ିକ ସଂଗ୍ରହ କରି ତୁମେ ଏକ ପୋଲ ତିଆରି କରିପାରିବ’ ବୋଲି ଆଶା କହିଛନ୍ତି ଏବଂ ଯେକୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଡରି ନ ଯିବା ସବଳ ହୃଦୟର ଦୃଷ୍ଟାନ୍ତ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର