ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବିଜେପି ୮୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନାଁ ରହିଛି। ରାଜେ ପାରମ୍ପରିକ ଭାବେ ଝାଲରାପାଟନ ଆସନରୁ ନିର୍ବାଚନ ଲଢ଼ିବେ। ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ରାଜେଙ୍କ ନାଁ ନଥିବାରୁ ବିରୋଧୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କିନ୍ତୁ ଦ୍ବିତୀୟ ତାଲିକାରେ ବିଜେପି ରାଜେଙ୍କ ନାଁ ଘୋଷଣା କରିବା ସହ ତାଙ୍କର କିଛି ସମର୍ଥକଙ୍କୁ ମଧ୍ୟ ତାଲିକାରେ ସାମିଲ କରିଛି। ଗତକାଲି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଉପସ୍ଥିତ ଥିଲେ। ରାଜେଙ୍କ ଲୋକପ୍ରିୟତା ପାଇଁ ବିଜେପି ତାଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି।
ଅନ୍ୟପକ୍ଷେ କଂଗ୍ରେସ ଆଜି ଏହାର ପ୍ରଥମ ପର୍ଯ୍ୟାୟ ତାଲିକା ଜାରି କରିଛି। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ପ୍ରଥମ ପର୍ଯ୍ୟାୟରେ ୩୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ତାଙ୍କ ପୂର୍ବତନ ଉପମୁଖ୍ୟ ସଚିନ ପାଇଲଟ ସ୍ଥାନ ପାଇଛନ୍ତି। ଗେହଲଟ ସରଦାରପୁରରୁ ନିର୍ବାଚନ ଲଢ଼ିବେ ଏବଂ ପାଇଲଟ ଟଙ୍କ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ ନାଥଦ୍ବାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଆଗାମୀ ନଭେମ୍ବର ୨୫ ତାରିଖରେ ସମସ୍ତ ୨୦୦ ଆସନରେ ନିର୍ବାଚନ ହେବ।