ନୂଆଦିଲ୍ଲୀ:: ରାଜସ୍ଥାନରେ ବିଧାନସଭା ନିର୍ବାଚନ ନେଇ ମାହୋଲ ସରଗରମ ରହିଛି। ଏଭଳି ସମୟରେ କିଛି ରୋଚକ ଘଟଣା ବି ସାମ୍ନାକୁ ଆସିଛି। ରାଜ୍ୟର ମେୱାଡ-ବାଗଡ଼ ଅଞ୍ଚଳର ୨୮ଟିରୁ ୬ଟି ଏଭଳି ନିର୍ବାଚନ ମଣ୍ଡଳୀ ରହିଛି, ଯେଉଁଠି ପ୍ରତିନ୍ଦ୍ବନ୍ଦ୍ବିତା କରୁଥିବା ୭ଜଣ ପ୍ରାର୍ଥୀଙ୍କର ଦୁଇଦୁଇଜଣ ଧର୍ମପତ୍ନୀ ରହିଛନ୍ତି।

Advertisment

ପ୍ରତାପଗଡ଼ ଆସନରୁ ଲଢ଼ୁଥିବା ବିଜେପି ଓ କଂଗ୍ରେସର ଦୁଇଜଣ ପ୍ରାର୍ଥୀଙ୍କର ଦୁଇଦୁଇଜଣ ସ୍ତ୍ରୀ ଅଛନ୍ତି। ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ବେଳେ କରିଥିବା ସତ୍ୟପାଠରୁ ଏହି ସୂଚନା ମିଳିଛି।

ଉଦୟପୁରର ବଲ୍ଲଭନଗର ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଉଦୟଲାଲ ଡାଙ୍ଗିଙ୍କର ୨ଜଣ ପତ୍ନୀ ଥିବା ବେଳେ ଖେରୱାଡାର କଂଗ୍ରେସ ପ୍ରାର୍ଥୀ ଦୟାରାମ ପରମାର ଓ ଝାଡୋଲର କଂଗ୍ରେସ ପ୍ରାର୍ଥୀ ହୀରାଲାଲ ଦରାଙ୍ଗି, ପ୍ରତାପଗଡ଼ର ବିଜେପି ପ୍ରାର୍ଥୀ ହେମନ୍ତ ମିଣା ଓ କଂଗ୍ରେସ ପ୍ରାର୍ଥୀ ରାମଲାଲ ମିଣା, ବାନସୱାଡା ଜିଲ୍ଲାର ଗଢ଼ିର ବିଜେପି ପ୍ରାର୍ଥୀ କୈଳାଶଚନ୍ଦ ମିଣା ଓ ଘାଟୋଲର କଂଗ୍ରେସ ପ୍ରାର୍ଥୀ ନାନାଲାଲ ନିନାମାଙ୍କର ବି ଦୁଇଜଣ ଲେଖାଏଁ ଧର୍ମପତ୍ନୀ ରହିଛନ୍ତି। ଏହି ପ୍ରାର୍ଥୀମାନେ ଦାଖଲ କରିଥିବା ନାମାଙ୍କନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ପ୍ରକାଶ କରିଛନ୍ତି।

କେବଳ ଏତିକି ନୁହେଁ ଉଦୟପୁର ସାଂସଦ ଅର୍ଜୁନଲାଲ ମିଣାଙ୍କର ବି ଦୁଇଜଣ ଧର୍ମପତ୍ନୀ ରହିଛନ୍ତି।

କେବଳ ଏତିକି ନୁହେଁ, ନାମାଙ୍କନ ପତ୍ର ଦାଖଲ ସମୟରେ ଏମିତି କିଛି ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି, ଯେଉଁମାନଙ୍କର ୫ଜଣରୁ ଅଧିକ ସନ୍ତାନ ଅଛନ୍ତି । ଝାଡୋଲର କଂଗ୍ରେସ ହୀରାଲାଲ ଦରାଙ୍ଗିଙ୍କ ୭ଜଣ ଓ ବିଜେପିର ବାବୁଲାଲ ଖରାଡ଼ିଙ୍କ ୫ଜଣ ସନ୍ତାନ ଥିବା ଜଣାପଡ଼ିଛି । ସେହିପରି ଖେରୱାଡ଼ାର ବିଜେପି ପ୍ରାର୍ଥୀ ନାନାଲାଲ ଅହାରିଙ୍କର ୬ଜଣ ସନ୍ତାନ ଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି।