ରାଜସ୍ଥାନ ବିଧାନସଭାରେ ବିବାଦୀୟ ଅପରାଧ ଆଇନ ବିଲ୍‌ ଆଗତ

ପ୍ରବଳ ହଙ୍ଗାମା, ବିରୋଧୀଙ୍କ ଗୃହତ୍ୟାଗ

ଜୟପୁର(ରାଜସ୍ଥାନ): ରାଜସ୍ଥାନ ବିଧାନସଭାରେ ସରକାରଙ୍କ ବିବାଦୀୟ ଅପରାଧ ଆଇନ ବିଲ୍‌ ଆଗତ ହୋଇଛି। ତେବେ ଏହାକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ବିଧାୟକମାନେ ପ୍ରବଳ ହଙ୍ଗାମା କରିବା ସହ ପ୍ରତିବାଦରେ ଗୃହତ୍ୟାଗ କରିଥିଲେ। ଏପରିକି ଏହାକୁ ବିରୋଧ କରୁଥିବା ଶାସକ ବିଜେପିର ବିଧାୟକ ଘନଶ୍ୟାମ ତିଓ୍ଵାରି ମଧ୍ୟ କହିବାକୁ ସୁଯୋଗ ନପାଇ ଦୁଇ ଥର ଗୃହତ୍ୟାଗ କରିଥିଲେ।
ଗତ ମାସରେ ରାଜସ୍ଥାନ ସରକାର ଅପରାଧ ଆଇନ(ରାଜସ୍ଥାନ ସଂଶୋଧନ) ବିଧେୟକ-୨୦୧୭ ଘୋଷଣା କରିଥିଲେ। ଏଥିରେ ସରକାରଙ୍କ ପୂର୍ବ ଅନୁମତି ବିନା ରାଜ୍ୟର କର୍ତ୍ତବ୍ୟରତ ଏବଂ ପ୍ରାକ୍ତନ ବିଚାରପତି, ମାଜିଷ୍ଟ୍ରେଟ୍‌ ଏବଂ ସରକାରୀ କର୍ମଚାରୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ କରାଯାଇପାରିବ ନାହିଁ ବୋଲି ବ୍ୟବସ୍ଥା ରହିଛି।

ଏପରିକି ସାମ୍ବାଦିକମାନେ ମଧ୍ୟ ବିନା ଅନୁମତିରେ ସେସବୁ ଅଭିଯୋଗର ବିବରଣୀ ପ୍ରକାଶ କରିବାକୁ ବାରଣ କରାଯାଇଛି। ତେବେ ସରକାର ଏହାଦ୍ୱାରା ନିଜ ଦୁର୍ନୀତିରେ ଘଣ୍ଟ ଘୋଡ଼ାଇବାକୁ ଚାହୁଥିବା ଅଭିଯୋଗ ଆଣି କଂଗ୍ରେସ ନେତା ସଚିନ ପାଇଲଟ ଏବଂ ସମର୍ଥକମାନେ ଏହା ବିରୋଧରେ ଏକ ସ୍ମାରକପତ୍ର ଦେବାକୁ ରାଜଭବନ ଗଲା ବେଳେ ସେମାନଙ୍କୁ ପୁଲିସ ଅଟକାଇଥିଲା। ତେବେ ଆଜି ବିଧାନସଭାରେ ଏହି ବିଲ୍‌ ଆଗତ ବେଳେ ଏହା ସରକାରଙ୍କ କଳା ଶାସନ ଏବଂ ସରକାର ଏକ ଅଘୋଷିତ ଜରୁରୀକାଳୀନ ସ୍ଥିତି ଜାରି କରୁଛନ୍ତି ବୋଲି ବିରୋଧୀମାନେ ହୋହଲ୍ଲା କରିବା ସହ ଗୃହତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର