ଜୟପୁର: ରାଜସ୍ଥାନରେ ଶାସକ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ଚଳିତ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ବାଜିମାତ୍ କରିଛି। ବିଜେପି ୧୯୩୨ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୧୭୯୯ଟି ଆସନରେ ବିଜୟୀ ହୋଇଛି। ସ୍ବାଧୀନ ପ୍ରାର୍ଥୀମାନେ ୪୩୯ଟି ଆସନ ଦଖଲ କରିଥିବାବେଳେ ବିଏସ୍ପି ୫ଟି, ସିପିଆଇଏମ୍ ୨୬ ଏବଂ ଆର୍ଏଲ୍ପି ୬୦ ଆସନରେ ବିଜୟୀ ହୋଇଛି। ରାଜସ୍ଥାନର ୨୧ ଜିଲ୍ଲାର ମୋଟ ୨୨୨ ପଞ୍ଚାୟତ ସମିତିର ମୋଟ ୪,୩୭୧ ଆସନରେ ଲଢ଼େଇ ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ବିଜେପିର ଏଭଳି ସଫଳତା କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେହିଭଳି ବିଜେପି ୩୫୩ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇ କଂଗ୍ରେସକୁ ବଡ଼ କ୍ଷତି ପହଞ୍ଚାଇଛି। କଂଗ୍ରେସକୁ ୨୫୨ ଜିଲ୍ଲା ପରଷଦ ଆସନ ମିଳିଛି। ଜିଲ୍ଲା ପରିଷଦର ୬୩୬ ଆସନ ପାଇଁ ୧୭୭୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ରାଜସ୍ଥାନବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି।
ଏହି ନିର୍ବାଚନ ପରିଣାମରୁ ସ୍ପଷ୍ଟ ହୋଇଯାଇଛି ଯେ ରାଜସ୍ଥାନର ଗ୍ରାମାଞ୍ଚଳରେ ବିଜେପିର ପ୍ରଭାବ କାଏମ ରହିଛି ଏବଂ କଂଗ୍ରେସର ସଂଗଠନ ଦୁର୍ବଳ ହେଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲଗାତାର ଅଭିଯୋଗ କରିଆସୁଛନ୍ତି ଯେ ତାଙ୍କ ସରକାରକୁ ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି। କଂଗ୍ରେସ ନେତା ସଚିନ ପାଇଲଟ୍ଙ୍କ ଭୂମିକା ନେଇ ମଧ୍ୟ ଗେହଲଟ ପରୋକ୍ଷରେ ଅସନ୍ତୋଷ ଜାହିର କରୁଛନ୍ତି। ଆଜି ନିର୍ବାଚନ ଫଳାଫଳ ଘୋଷଣା ପରେ କଂଗ୍ରେସରେ ନିରାଶା ସୃଷ୍ଟି ହୋଇଛି। ପାଇଲଟ୍ ଯଦି ପୁଣି ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହେବେ ତା’ହେଲେ କଂଗ୍ରେସ ନିଜ ସରକାରକୁ ବଞ୍ଚାଇବା କଷ୍ଟକର ହୋଇପଡ଼ିବ ବୋଲି କୁହାଯାଉଛି। ଆଜି ରାଜ୍ୟ କଂଗ୍ରେସ ସଭାପତି ଓ ଅନ୍ୟ ବରିଷ୍ଠ ନେତାମାନେ ପାଇଲଟ୍ଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।