ସରକାରଙ୍କ ବିରୋଧରେ ପ୍ରତିବାଦ କରିବା ପାଇଁ ବିଧାନସଭାକୁ ଗାଈ ଆଣିଥିଲେ ବିଧାୟକ, ହେଲେ…

ନୂଆଦିଲ୍ଲୀ: ଗାଈକୁ ଧରି ରାଜସ୍ଥାନ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ପହଞ୍ଚିଥିଲେ ବିଜେପି ବିଧାୟକ। ହେଲେ ବିଧାନସଭା ଗେଟ ବାହାରୁ ହିଁ ଗାଈଟି ଦୌଡ଼ି ପଳାଇଥିଲା ବୋଲି ଜଣାପଡ଼ିଛି। ଘଟଣା ସମୟରେ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଛି ବିଜେପି।

ସୂଚନା ମୁତାବକ, ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଗାଈଙ୍କୁ ସୁରକ୍ଷା ଦେବା ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଜେପି ବିଧାୟକ ସୁରେଶ ସିଂ ରାୱତ ସୋମବାର ଏକ ଗାଈ ସହିତ ରାଜସ୍ଥାନ ବିଧାନସଭାରେ ପହଞ୍ଚିଥିଲେ। ହାତରେ ବାଡି ଧରି ବିଧାୟକ ଗଣମାଧ୍ୟମକୁ କହିଥିଲେ ଯେ ଗାଈମାନେ ଏବେ ଚର୍ମରୋଗରେ ପୀଡିତ। କିନ୍ତୁ ରାଜ୍ୟ ସରକାର କିଛି କରିବା ପରିବର୍ତ୍ତେ ଗଭୀର ନିଦ୍ରାରେ ଶୋଇଛନ୍ତି। ଏଥି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଁ ବିଧାନସଭା ପରିସରକୁ ଗାଈ ଆଣିଛି। ହେଲେ ମନ୍ତ୍ରୀ ବିଧାନସଭା ପରିସରରେ ଗଣମାଧ୍ୟମକୁ ନିଜର ବୟ‌ାନ ଦେଉଥିବା ସମୟରେ ପରେ ହିଁ ଗାଈଟି ଦୌଡ଼ି ପଳାଇଥିଲା ବୋଲି ଜଣାପଡ଼ିଛି।

ରାୱତ ବିଧାନସଭା ଫାଟକ ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାବେଳେ ଗାଈଟି ଦୌଡ଼ିବା ଆରମ୍ଭ କରିଥିଲା। ଗାଈକୁ ଧରିଥିବା ଯୁବକ ଗାଈକୁ ରୋକିବା ପାଇଁ ଚେଷ୍ଟା କରିଥିଲେ ବି ଗାଈଁ ଅଟକି ନଥିଲା। ଏଭଳି ଘଟଣା ପରେ ସୁରେଶ ସିଂ ରାୱତ ଏକ ଟୁଇଟ୍‌ରେ କହିଛନ୍ତି ଯେ ଏହି ସରକାରଙ୍କ ଉପରେ ମଣିଷ ସହ ଗାଈ ବି ରାଗିଛନ୍ତି।

ସମ୍ବନ୍ଧିତ ଖବର