ରାଜସ୍ଥାନ ବିଜେପି ବିଧାୟକଙ୍କ ଚେତାବନୀ : ଗୋଚାଲାଣ, ଗୋହତ୍ୟା କଲେ ମରିବ

ଜୟପୁର : ଗୋଚାଲାଣ ଏବଂ ଗୋହତ୍ୟାକୁ ନେଇ ହିଂସା ଥମିବାର ନାଁ ନେଉନଥିବା ବେଳେ ଆଜି ରାଜସ୍ଥାନର ଜଣେ ବିଜେପି ବିଧାୟକ ଦେଇଥିବା ବିବାଦୀୟ ବୟାନ ଝଡ଼ ସୃଷ୍ଟି କରିଛି। କେହି ଗୋଚାଲାଣ ଏବଂ ଗୋହତ୍ୟା କଲେ, ତା’କୁ ମାରିଦିଆଯିବ ବୋଲି ଶାସକ ବିଜେପିର ବିଧାୟକ ଜ୍ଞାନ ଦେବ ଆହୁଜା କହିଛନ୍ତି।
ସୂଚନା ଥାଉ କି ଗତ ଶନିବାର ଜାକିର ଖାନ୍‌ ନାମକ ଜଣେ ଗୋଚାଲାଣକାରୀ ଏକ ଟ୍ରକ୍‌ରେ ୮ଟି ଗାଈଙ୍କୁ ଧରି ଯାଉଥିବା ବେଳେ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ଟ୍ରକ୍‌ଟି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପୁଲିସ ଜାକିରକୁ ଧରିବାରେ ସକ୍ଷମ ହୋଇଥିଲା।

ତେବେ ତା’ର ଅନ୍ୟ ୩ ଜଣ ସହଯୋଗୀ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏତିକି ବେଳେ ସ୍ଥାନୀୟ ଉତ୍ତ୍ୟକ୍ତ ଜନତା ଜାକିରକୁ ଟ୍ରକ୍‌ରୁ ଟାଣିଆଣି ପ୍ରବଳ ମାରିଥିବା ଅଭିଯୋଗ ହୋଇଥିଲା ତେବେ ଜାକିରଙ୍କୁ କେହି ମାରିନାହାନ୍ତି, ବରଂ ବେଆଇନ ଗୋଚାଲାଣ କରୁଥିବା ଟ୍ରକ୍‌ଟି ଓଲଟିପଡ଼ିବାରୁ ସେ ଆହତ ହୋଇଥିଲେ ବୋଲି ଜ୍ଞାନ ସଫେଇ ଦେବା ସହ ଗୋଚାଲାଣକାରୀଙ୍କ ପ୍ରତି ଏଭଳି କଠୋର ଚେତାବନୀ ଦେବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର