କରୋନାରେ ଉଭୟ ମା’ ଓ ବାପାଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରି: ଅଶୋକ ଗେହଲଟ

ଜୟପୁର: ଶୁକ୍ରବାର ଫେବୃଆରି ୧୦ ତାରିଖ‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ  ୨୦୨୨-୨୩ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ କି ଚଳିତ ଥର ବଜେଟ ୨୦୨୩-୨୪ ମହିଳା ଓ ଯୁବକଙ୍କ ଉପରେ ବିଶେଷ ଭାବେ କେନ୍ଦ୍ରିତ ହେବ। ଯାହା ଜନତାଙ୍କ ଆଶାକୁ ପୁରା କରିବ ବୋଲି ବିଶ୍ବାସ ରଖାଯାଇଛି । ଆଜି ବଜେଟ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୁରା କରିଥିବା କୁହାଯାଉଛି।

ଅଶୋକ ଗେହଲଟ ବିଧାନସଭାରେ ବଜେଟ ଉପସ୍ଥାପନ କରି କହିଛନ୍ତି, ‘କରୋନା ସମୟରେ ଏମିତି ଅନେକ ପିଲା ଥିଲେ ଯେଉଁମାନେ ନିଜ ବାପା-ମା’ ଉଭୟଙ୍କୁ ହରାଇ ଦେଇଥିଲେ। ବାପା ଓ ମା’ଙ୍କୁ ହରାଇବା ପରେ ଏବେ ସେହି ପିଲାମାନଙ୍କ ଭିତରୁ କିଛି  ଅନାଥ ଆଶ୍ରମରେ ରହୁଥିବା ବେ‌ଳେ ଆଉ କିଛି ପିଲା ନିଜ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି। ଏଭଳି ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ କରୋନାରେ ଅନାଥ ହୋଇଥିବା ସମସ୍ତ ପିଲାଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ନିର୍ଣ୍ଣୟ ନିଆଯାଇଛି।’

ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ସହିତ ସହରରେ ରୋଜଗାର ସୁନିଶ୍ଚିତ କରିବା ପାଇଁ ‘ଇନ୍ଦିର ଗାନ୍ଧୀ ସହରୀ ଗ୍ୟାରେଣ୍ଟି ଯୋଜନା’ ଲାଗୁ କରାଯାଉଛି। ଏହା ଜରିଆରେ ଆଗାମୀ ବର୍ଷ ଲୋକଙ୍କୁ ୧୦୦ଦିନର କାମ ଉପଲବ୍ଧ ହେବ। ଏଥିପାଇଁ ପାଖାପାଖି ୮୦୦‌କୋଟି  ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି।

ସମ୍ବନ୍ଧିତ ଖବର