ନୂଆ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ସମର୍ଥକଙ୍କୁ କରାଗଲା ସାମିଲ

ନୂଆଦିଲ୍ଲୀ:  ସରକାର ରହିଛି, କିନ୍ତୁ ମନ୍ତ୍ରିମଣ୍ଡଳର ହେଲା ନବକଳେବର । ରାଜସ୍ଥାନରେ ଅଶୋକ ଗେହଲଟ ମନ୍ତ୍ରିମଣ୍ଡଳର ଚେହେରା ବଦଳିଯାଇଛି । ରାଜସ୍ଥାନରେ ଆଜି ୧୧ କ୍ୟାବିନେଟ ଓ ୪ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଶପଥ ନେଇଛନ୍ତି ମୋଟ ୧୫ ମନ୍ତ୍ରୀ । ନୂଆ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ସମର୍ଥକଙ୍କୁ ସାମିଲ କରାଯାଇଛି । ଏହାଦ୍ୱାରା ଦୀର୍ଘଦିନ ଧରି ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିଯାଇଥିବା ଚର୍ଚ୍ଚା ହେଉଛି ।

ରାଜସ୍ଥାନ ରାଜନୀତିରେ ସରିଲା ଛକାପଞ୍ଝା ! ସଚିନ ପାଇଲଟଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ । ଦୀର୍ଘ ଦିନ ହେବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଥିଲା । ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସମାଧାନ ପାଇଁ ବଦଳିଛି ମନ୍ତ୍ରିମଣ୍ଡଳ । ନୂଆ ମନ୍ତ୍ରିମଣ୍ଡଳରେ ଉଭୟ ଅଶୋକ ଗେହଲଟ୍ ଓ ସଚିନ ପାଇଲଟଙ୍କ ଗୋଷ୍ଠୀର ନେତାଙ୍କୁ ସାମିଲ କରାଯାଇଛି । ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ୧୫ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ।

ନୂଆ ମନ୍ତ୍ରିମଣ୍ଡଳରେ ୧୧ଜଣ କ୍ୟାବିନେଟ୍ ମନ୍ତ୍ରୀ ରହିଥିବାବେଳେ ୪ଜଣ ରାଜ୍ୟ ପାହ୍ୟା ମନ୍ତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ସଚିନ ପାଇଲଟଙ୍କ କ୍ୟାମ୍ପରୁ ୫ ଜଣ ମନ୍ତ୍ରୀ ଶପଥ ପାଠ କରିଥିବା ଜଣାପଡିଛି । ସେହିପରି ଦଳିତ ବର୍ଗରୁ ୪ଜଣଙ୍କୁ ମିଳିଛି ମନ୍ତ୍ରୀ ପଦ । ମନ୍ତ୍ରୀମାନେ ଶପଥ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଦଳର ନିଷ୍ପତ୍ତି ସର୍ବମାନ୍ୟ ।

କିଛି ଦିନ ଧରି ରାଜସ୍ଥାନ ରାଜନୀତିରେ ଅସ୍ଥିରତାର ଝଡ଼ ବହୁଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଦୂରତା ବଢ଼ି ବଢ଼ି ଚାଲିଥିଲା । କାଳେ ମଧ୍ୟପ୍ରଦେଶ ଭଳି ରାଜସ୍ଥାନର ସ୍ଥିତି ସୃଷ୍ଟି ହେବ, ଏହାର ସମାଧାନ ପାଇଁ ତତ୍ପରତା ଦେଖାଇଥିଲେ କଂଗ୍ରେସର ହାଇକମାଣ୍ଡ । ସବୁଠୁ ବଡ଼ ଚ୍ୟାଲେଂଜ ଥିଲା କିପରି ସଚିନ ପାଇଲଟଙ୍କ ଗୋଷ୍ଠୀକୁ ସନ୍ତୁଷ୍ଟ କରାଯିବ ।

ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦିଲ୍ଲୀ ଯାଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହାପରେ ସଚିନ ପାଇଲଟ ମଧ୍ୟ କଂଗ୍ରେସର ଶୀର୍ଷ ନେତାଙ୍କୁ ଭେଟିଥିଲେ । ସୋନିଆ ଗାନ୍ଧୀଙ୍କ ନିଷ୍ପତି କ୍ରମେ ଶନିବାର ଦିନ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ରବିବାର ଦିନ ନୂଆ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇଛି । ତେବେ ଦେଖିବାର କଥା କଂଗ୍ରେସ ହାଇକମାଣ୍ଡଙ୍କ ଏହି ଫର୍ମୁଲା, କେତେ କାମ କରୁଛି ।

 

ସମ୍ବନ୍ଧିତ ଖବର