ପାଇଲଟଙ୍କୁ ଗଦ୍ଦାର କହିବା ପରେ ସାଙ୍ଗରେ ନଜର ଆସି‌ଲେ ଗେହଲଟ, ରାହୁଲଙ୍କ ପଦେ କଥା ଆଣିଲା ପରିବର୍ତ୍ତନ

ନୂଆଦିଲ୍ଲୀ: ବିବାଦ ମଧ୍ୟରେ ସାଥିରେ ନଜର ଆସିଲେ ଗେହଲଟ-ପାଇଲଟ। ଗତ କିଛି ମାସ ହେଲାଣି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। କଂଗ୍ରେସ ହାଇକମାଣ୍ଡ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ବି ଏ‌ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇପାରିନଥିଲା। ଏତେ ଦିନ ଧରି ନିଜ ରାଗକୁ ଚାପି ଆସିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କିଛି ଦିନ ତଳେ ସଚିନ ପାଇଲଟଙ୍କୁ ଗଦ୍ଦାର ବୋଲି କହିଥିଲେ। ଏହା ସହ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଗେହଲଟ କହିଥିଲେ।

ତେବେ ଗେହଲଟଙ୍କ ଏଭଳି ବୟାନ ମଧ୍ୟରେ ରାଜସ୍ଥାନ କଂଗ୍ରେସରେ ବିବାଦ ଘନେଇବା ନେଇ ଆଶଙ୍କା କରାଯାଉଥିବା ବେଳେ ଆଜି ତାହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଉଭୟ ସଚିନ ପାଇଲଟ ଓ ଅଶୋକ ଗେହଲଟ ମିଶି ଏକ ସାମ୍ବାଦିକ ସମ୍ମିଳନୀରେ ନଜର ଆସିଥିଲେ। ଏହି ସମୟରେ ଗେହଲଟ କହିଥିଲେ ଯେ, ରାହୁଲ ଗାନ୍ଧୀ ମୋତେ ଏବଂ ପାଇଲଟଙ୍କୁ ଦଳର ସ୍ତମ୍ଭ ବୋଲି କହିଛନ୍ତି। ତାଙ୍କର ଏଭଳି କହିବା ପରେ ଆମ ପାଖରେ କହିବାକୁ ଆଉ କିଛି ବାକି ନାହିଁ। ରାହୁଲ ଗାନ୍ଧୀ ଆମ ସମସ୍ତଙ୍କର ନେତା। ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଦଳ, ଏକ ନମ୍ବର ନେତାଙ୍କ ଅନୁଶାସନରେ ଚାଲିଥାଏ। ରାହୁଲ ଗାନ୍ଧୀ ହେଉଛନ୍ତି ଆମ ପାଇଁ ସେହି ନେତା। ସେ ଆମକୁ ସ୍ତମ୍ଭ କହିବା ପରେ ଆଉ କାହାକୁ କିଛି କହିବାର ଆବଶ୍ୟକତା ନାହିଁ।

ndtv

ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଡିସେମ୍ବର ୪ରେ ରାଜସ୍ଥାନରେ ପ୍ରବେଶ କରିବ। ଏହାକୁ ନେଇ ଗେହଲଟ କହିଥିଲେ ଯେ, “ଭାରତ ଯୋଡା ଯାତ୍ରା” କୁ ରାଜ୍ୟରେ ସଫଳ କରିବା ପାଇଁ ସମସ୍ତ ନେତା ମିଳିତ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର