କାଳେ ଭାଙ୍ଗିଯିବ କି ସରକାର? ତା’ ପୂର୍ବରୁ ବିଧାନସଭା ଡକାଇବାକୁ ରାଜଭବନ ଘେରାଉ କଲେ ମୁଖ୍ୟମନ୍ତ୍ରୀ ଗେହଲଟ୍‌; ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବାକୁ ବି ଚାଲିଛି ମନ୍ତ୍ରଣା

ଜୟପୁର: ରାଜସ୍ଥାନ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ମହାମାରୀ କରୋନା ଭାଇରସ୍‌ ବା କୋଭିଡ୍‌-୧୯ କବଳରୁ ରାଜ୍ୟବାସୀ ନିଜ ନିଜର ପ୍ରାଣ ବଞ୍ଚାଇବାକୁ ଡହଳ ବିକଳ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କିନ୍ତୁ ରାଜ୍ୟବସୀଙ୍କୁ ଭଗବାନଙ୍କ ଜିମାରେ ଛାଡ଼ିଦେଇ ନିଜ ସରକାରକୁ ବଞ୍ଚାଇବା ପାଇଁ ରାତିଦିନ ଏକ କରି ଦେଇଛନ୍ତି। କାଳେ ସରକାର ଭାଙ୍ଗିଯିବ କି ଆଉ? ସେଥିପାଇଁ ତା’ ପୂର୍ବରୁ କଳେ ବଳେ କୌଶଳେ ଗଣିତର ଖେଳ ଖେଳି ନିଜ ସରକାରର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଦେବାକୁ ଏକଦମ୍‌ ଅସ୍ଥିର ହୋଇ ଉଠିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ୍‌।

ଉଲ୍ଲେଖଯୋଗ୍ୟ, ବିଦ୍ରୋହୀ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ଓ ତାଙ୍କୁ ସମର୍ଥନ କରୁଥିବା ୧୮ଜଣ ବିଧାୟକଙ୍କୁ ବିଧାନସଭା ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ସହ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରି ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ ତାକୁ ବିରୋଧ କରି ସଚିନ୍‌ ପାଇଲଟଙ୍କ ସମେତ ୧୮ ବିଧାୟକ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ରାଜସ୍ଥାନ ହାଇକୋର୍ଟର ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ଶେଷ କରିବା ପରେ ରାୟକୁ ସଂରକ୍ଷିତ ରଖିବା ସହ ଆସନ୍ତା ସୋମବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହେଲେ, ହାଇକୋର୍ଟଙ୍କ ଏ ନିର୍ଦ୍ଦେଶପରେ ମୁଖ୍ୟମନ୍ତ୍ରୀ ଗେହଲଟ ଅଧୈର୍ଯ୍ୟ ହୋଇପଡ଼ି ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ଅବିଳମ୍ବେ ବିଧାନସଭା ଡକାଇବାକୁ କହିଥିଲେ। ମାତ୍ର, ରାଜ୍ୟପାଳ ମିଶ୍ର କହିଥିଲେ ଯେ ବର୍ତ୍ତମାନ ବିଧାନସଭାର ଏକ ମାମଲା ଉଭୟ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟଙ୍କ ବିଚାରାଧୀନ ରହିଥିବା କାରଣରୁ ସେ ସୁପ୍ରିମ୍‌ କୋର୍ଟଙ୍କ ସହ ପରାମର୍ଶ ପରେ ହିଁ ବିଧାନସଭା ଅଧିବେଶନ କେବେ ବସିବ ସେ ସଂପର୍କରେ ନିଷ୍ପତ୍ତି ନେବେ।

News Nation

ହେଲେ, ଏଥିରେ ମନ ବୁଝି ନଥିଲା ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କର। କାଳେ ସରକାର ଭାଙ୍ଗିଯିବ କି ଆଉ? ଏଇ ଆଶଙ୍କାରେ ଆତଙ୍କିତ ଥିଲେ ସେ। ତେଣୁ, ରାଜ୍ୟପାଳଙ୍କ ଉପରେ ଚାପ ପ୍ରୟୋଗ କରି ବିଧାନସଭା ଅଧିବେଶନ ଡକାଇବାକୁ ଆରମ୍ଭ କଲେ ପ୍ରୟାସ। ପ୍ରଥମେ ରାଜ୍ୟପାଳଙ୍କୁ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ବୋଲି କଟାକ୍ଷ କଲେ। ତା’ପରେ ଧମକ ଦେଲେ ଯଦି ତୁରନ୍ତ ଅଧିବେଶନ ନ ଡକାନ୍ତି ତେବେ ସାଧାରଣ ଜନତା ରାଜଭବନକୁ ଘେରାଉ କରିବେ ଏବଂ ଏଥିପାଇଁ ସରକାର ଦାୟୀ ରହିବେ ନାହିଁ।

ହେଲେ, ଏସବୁର କିଛି ବି ପ୍ରଭାବ ରାଜ୍ୟପାଳ କାଲରାଜ ମିଶ୍ରଙ୍କ ଉପରେ ପଡ଼ି ନଥିଲା। ରାଜ୍ୟପାଳ ନିଜ ନିଷ୍ପତ୍ତିରେ ଥିଲେ ଅଟଳ। ଏ ଘଟଣାରେ ବିଚଳିତ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଶେଷରେ ରିସୋର୍ଟରେ ଗୋଠ କରାଇ ରଖିଥିବା ନିଜର ସମର୍ଥକ ବିଧାୟକମାନଙ୍କୁ ରାଜଭବନକୁ ଡକାଇ ରାଜଭବନ ଘେରାଉ କରିଛନ୍ତି। ଏହି ରିପୋର୍ଟ ଲେଖାଯିବା ବେଳକୁ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କୁ ସମର୍ଥନ ଦେଉଥିବା ବିଧାୟକମାନେ ରାଜଭବନ ଲନ୍‌ରେ ବସି ରାଜ୍ୟପାଳଙ୍କ ବିରୋଧରେ ନାରାବାଜି ଚଳାଇଛନ୍ତି।

ସର୍ବଶେଷ ଖବର ଅନୁଯାୟୀ ବିଧାନସଭା ଅଧିବେଶନ ଡକାଇବା ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା ଆରମ୍ଭ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର