ନୂଆଦିଲ୍ଲୀ: ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦିଆଯିବା ନେଇ ଆଇନ ଲାଗୁ ହେବା ପରେ ସାରା ଦେଶରେ ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ବୃଦ୍ଧି ପାଇଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି। ମୁଦ୍ରାସ୍ଫୀତି ଏବଂ ବେରୋଜଗାରୀକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ପ୍ରଦର୍ଶନ ସମୟରେ ଶୁକ୍ରବାର ଦିନ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏହି ବିବୃତି ଦେଇଛନ୍ତି। ସେ କହିଛନ୍ତି, ‘ନିର୍ଭୟା ମାମଲା ପରେ ଅଭିଯୁକ୍ତଙ୍କୁ ଫାଶୀ ଦେବାର ଦାବି ବୃଦ୍ଧି ପାଇଥିଲା ଏବଂ ଏହା ପରେ ଆଇନ ଲାଗୁ ହେଲା। ସେବେଠାରୁ ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯିବାର ମାମଲାରେ ବୃଦ୍ଧି ପାଇବାରେ ଲାଗିଛି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି, “ନିର୍ଭୟା ମାମଲା ପରେ ଦୋଷୀଙ୍କୁ ଫାଶୀ ଦେବା ଆଇନ ଯୋଗୁଁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ବୃଦ୍ଧି ଘଟିଛି। ଦେଶରେ ଏହା ଏକ ଉଦବେଗଜନକ ଧାରା। ଏବେ ଦୁଷ୍କର୍ମ ପରେ ହତ୍ୟା ଧାରା ସାରା ଦେଶରେ ଏକ ଉଦବେଗଜନକ ସ୍ତରରେ ପହଞ୍ଚିଛି। ଫାଶୀଦଣ୍ଡ ଦିଆଯିବା ନେଇ ଆଇନ ଆସିବା ପରେ ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷୀ ହେବେ ବୋଲି ଭାବି ଦୁଷ୍କର୍ମ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ହତ୍ୟା କରୁଛି। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ପୀଡିତାଙ୍କୁ ହତ୍ୟା କରିବା ଠିକ୍ ବୋଲି ମନେକରୁଛି। ସାରା ଦେଶରୁ ଆସୁଥିବା ଖବର ଏକ ବିପଜ୍ଜନକ ଧାରାକୁ ଦର୍ଶାଉଛି। ଦେଶର ପରିବେଶ ଏବେ ଭଲ ନାହିଁ।

ଗତ ବର୍ଷ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା କେ.ଆର. ରମେଶ କୁମାର ଦୁଷ୍କର୍ମ ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟ ତାଙ୍କୁ ବିବାଦୀୟ କରିଥିଲା। ସେ କହିଥିଲେ ଯେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାମାନେ ନଡରି ଏହାକୁ ଉପଭୋଗ କରିବା ଉଚିତ୍।