ନୂଆଦିଲ୍ଲୀ : ସର୍ବଭାରତୀୟ କଂଗ୍ରେସ ସଭାପତି ପଦ ପାଇଁ ଦୃଢ଼ ଦାବିଦାର ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ତାଙ୍କୁ ସମର୍ଥନ କରୁଥିବା ଦଳୀୟ ବିଧାୟକମାନେ ବିଦ୍ରୋହ କରି କଂଗ୍ରେସ ପାଇଁ ଯେଉଁଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି, ତାହାକୁ ନେଇ ହାଇକମାଣ୍ଡ ତାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଗତକାଲିର ଘଟଣା ପାଇଁ ଗେହଲଟ୍ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ହାଇକମାଣ୍ଡ ଏହାକୁ ଗ୍ରହଣ କରିବାକୁ ନାରାଜ। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଚିନ୍ତା କରୁଥିବା ଜଣାପଡ଼ିଛି। ଏହାହେଲେ ସେ କଂଗ୍ରେସ ସଭାପତି ନିର୍ବାଚନ ତ ଲଢ଼ିପାରିବେ ନାହିଁ, ତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ବି ଯିବ ବୋଲି କୁହାଯାଉଛି। ତାଙ୍କ ସ୍ଥାନରେ ଅନ୍ୟ କୌଣସି ନୂଆ ନେତାଙ୍କୁ କଂଗ୍ରେସ ସଭାପତି କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Advertisment

ହାଇକମାଣ୍ଡଙ୍କ ପକ୍ଷରୁ ପ୍ରତିନିଧି ହୋଇ ଜୟପୁର ଯାଇଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖା‌ଡ଼ଗେଙ୍କୁ ଗେହଲଟ ଭେଟି କ୍ଷମା ମାଗିଥିବା କୁହାଯାଉଛି। ବିଧାୟକମାନେ ବିଦ୍ରୋହ କରି ଭୁଲ କରିଛନ୍ତି ବୋଲି ଗେହଲଟ୍ କହିଥିଲେ ମଧ୍ୟ ଏହା ପଛରେ ତାଙ୍କର ହାତ ନାହିଁ ବୋଲି ସେ ସଫେଇ ଦେଇଥିଲେ। କିନ୍ତୁ ହାଇକମାଣ୍ଡ ତାଙ୍କର ସଫେଇରେ ସନ୍ତୁଷ୍ଟ ନୁହନ୍ତି। ତାଙ୍କ ବିନା ଇଙ୍ଗିତରେ ୯୦ ଜଣ ବିଧାୟକ ବିଦ୍ରୋହ କରିବା ସମ୍ଭବ ନୁହେଁ ବୋଲି କୁହାଯାଉଛି।

publive-image Deccan Herald

କେବଳ ଏତିକି ନୁହେଁ, ଏହି ବିଧାୟକମାନେ କେନ୍ଦ୍ରୀୟ ନେତା ଖଡ଼ଗେ ଏବଂ ମାକେନଙ୍କୁ ଭେଟିବାକୁ ମଧ୍ୟ ମନା କରିଦେଇଥିଲେ। ତେଣୁ ଏସଂପର୍କରେ ଏକ ରିପୋର୍ଟ ଦେବାଲାଗି କଂଗ୍ରେସ ସଭାନେତ୍ରୀ ‌ସୋନିଆ ଗାନ୍ଧି ଉଭୟ ଖଡ଼ଗେ ଏବଂ ମାକେନଙ୍କୁ ନିର୍ଦେଶ ଦେଇଛନ୍ତି। ଗେହଲଟଙ୍କୁ କଂଗ୍ରେସ ଦଳର ସଭାପତି ପ୍ରାର୍ଥୀ ନକରିବା ପାଇଁ ସୋନିଆ ଗାନ୍ଧିଙ୍କ ନିକଟରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ର ସଦସ୍ୟମାନେ ଦାବି କରିଛନ୍ତି।

ରାଜସ୍ଥାନରେ ଚାଲିଥିବା ଡ୍ରାମାକୁ ନେଇ ସୋନିଆଙ୍କ ସମେତ କାର୍ଯ୍ୟକାରିଣୀ କମିଟିର କିଛି ସଦସ୍ୟ ଗେହଲଟଙ୍କ ଉପରେ ଖପା ହୋଇଛନ୍ତି। ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ବା କ୍ଷମତା ହସ୍ତାନ୍ତର କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି କଂଗ୍ରେସ ଆଶା ରଖିଥିଲା। କିନ୍ତୁ ଗେହଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଏହାକୁ ଅତ୍ୟନ୍ତ ଜଟିଳ କରିପକାଇଛନ୍ତି। ସିଡବ୍ଲ୍ୟୁସି ସଦସ୍ୟମାନେ ସୋନିଆଙ୍କ ନିକଟରେ ଦାବି କରିଛନ୍ତି ଯେ ଗେହଲଟଙ୍କ ଭଳି ଜଣେ ବ୍ୟକ୍ତିଙ୍କ ଉପରେ ବିଶ୍ବାସ ରଖି ତାଙ୍କୁ ଦଳର ମୁଖ୍ୟ କରିବା ଠିକ ହେବନାହିଁ। ହାଇକମାଣ୍ଡ ତାଙ୍କର ପ୍ରାର୍ଥିତ୍ବ ସଂପର୍କରେ ପୁନର୍ବିଚାର କରିବା ଆବଶ୍ୟକ।

publive-image IndiaTV News

ଗତକାଲି ରାତିରେ ରାଜସ୍ଥାନ ରାଜନୀତିରେ ଡ୍ରାମା ‌ଦେଖିବାକୁ ମିଳିଥିଲା। କଂଗ୍ରେସ ସଭାପତି ହେବାକୁ ଯାଉଥିବା ଗେହଲଟଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ହାଇକମାଣ୍ଡ ଯୋଜନା କରିଥିଲେ। ଏଥିପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷପ ମଲ୍ଲିକାର୍ଜୁନ ଖଡ‌୍‌ଗେ ଏବଂ ଅଜୟ ମାକେନ୍‌ ଜୟପୁର ଗସ୍ତରେ ଯାଇଥିଲେ। କିନ୍ତୁ ଗେହଲଟଙ୍କ ଅନୁଗତ ବିଧାୟକମାନେ ଏହାର ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ୨୦୨୦ରେ ବିଦ୍ରୋହ କରିଥିବା ପାଇଲଟ କିମ୍ବା ତାଙ୍କର କୌଣସି ସମର୍ଥକ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦିଆଯିବ ନାହିଁ। ଏହି ବିଧାୟକମାନେ ମନ୍ତ୍ରୀ ଶାନ୍ତି ଧରିୱାଲଙ୍କ ଘରେ ଏକାଠି ହୋଇଥିଲେ। ସେମାନେ ବିଳମ୍ବିତ ରାତିରେ ବାଚସ୍ପତି ସି ପି ଯୋଶୀଙ୍କୁ ଭେଟି ଇସ୍ତଫା ଦେଇଥିବା କୁହାଯାଉଛି। ଏମାନଙ୍କର ସଂଖ୍ୟା ୮୦ ଥିଲା ବୋଲି ଜଣାପଡ଼ିଛି। ସେମାନେ କେନ୍ଦ୍ରୀୟ ନେତାମାନଙ୍କୁ ମଧ୍ୟ ଭେଟିନଥିଲେ।

ଏହାକୁ ନେଇ ଗତକାଲି ଠାରୁ ରାଜସ୍ଥାନ କଂଗ୍ରେସରେ ଦେଖା ଦେଇଥିବା ସଂକଟ ଆଜି ମଧ୍ୟ ଦୂର ହୋଇନାହିଁ। କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଦଳର ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଅଜୟ ମାକେନଙ୍କ ଠାରୁ ସାଂପ୍ରତିକ ପରିସ୍ଥିତି ସଂପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

publive-image The Quint

ଇତିମଧ୍ୟରେ ସୋମବାର ଦିନ ଖଡ଼ଗେ ଏବଂ ଅଜୟ ମାକେନଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜୟପୁରର ମାରିଅଟ୍ ହୋଟେଲରେ ଭେଟିବାକୁ ଯାଇଥିଲେ। କିନ୍ତୁ ଗେହଲଟ ହୋଟେଲରେ ପହଞ୍ଚିଲା ବେ‌ଳକୁ ମାକେନ ଦିଲ୍ଲୀ ଫେରି ଆସିଥିଲେ। ତେଣୁ ସେ କେବଳ ଖଡ଼ଗେଙ୍କୁ ଭେଟିଛନ୍ତି। ଖଡ଼୍‌ଗେ କହିଛନ୍ତି, ଗତକାଲି ଯାହା ଘଟିଛି ସେ ସଂପର୍କରେ ଆମେ ହାଇକମାଣ୍ଡଙ୍କୁ ସୂଚନା ଦେଇ ସାରିଛୁ। ଦଳର ନିଷ୍ପତ୍ତିକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ। ଦଳରେ ଶୃଙ୍ଖଳା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଲୋଚନା ବେଳେ ଗତକାଲିର ଘଟଣା ପାଇଁ ଗେହଲଟ୍ ଦୁଃଖ ପ୍ରକାଶ କରିଥିବା ସେ କହିଛନ୍ତି।

ରାଜସ୍ଥାନ ସଂକଟ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଦଳର ସଭାପତି ପ‌ଦ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଦଳର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ଅନ୍ୟ ନେତାମାନେ ସଭାପତି ପଦ ପାଇଁ ସେପ୍ଟେମ୍ବର ୩୦ ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ କରିବେ। ମୁକୁଲ ୱାସନିକ, ମଲ୍ଲିକାର୍ଜୁନ ଖଡ଼ଗେ, ଦିଗ୍‌ବିଜୟ ସିଂହ ଏବଂ କେସି ବେଣୁଗୋପାଳ ଦୌଡ଼ରେ ଅଛନ୍ତି ବୋଲି ସେ କହିଛନ୍ତି।
ଇତିମଧ୍ୟରେ ରାଜସ୍ଥାନ ସଙ୍କଟ ଦୂର କରିବା ଲାଗି ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ଦାୟିତ୍ବ ଦିଆଯାଇଛି। ସୋନିଆ ଆଜି ତାଙ୍କୁ ଡାକି ଏହି ଦାୟିତ୍ବ ଦେଇଛନ୍ତି। ସେ କଂଗ୍ରେସ ସଭାପତି ପଦ ଲାଗି ପ୍ରାର୍ଥୀ ମଧ୍ୟ ହୋଇପାରନ୍ତି ବୋଲି କୁହାଯାଉଛି ।